କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି : ଗାନ୍ଧୀ ପରିବାର ଉପରୁ ହଟିବ ଏସପିଜି ସୁରକ୍ଷା, ମିଳିବ Z+ ସିକ୍ୟୁରିଟି

ନୂଆଦିଲ୍ଲୀ,୮/୧୧: କେନ୍ଦ୍ର ସରକାର ଶୁକ୍ରବାର ଦିନ ବଡ ନିଷ୍ପତ୍ତି ଗ୍ରହଣ କରି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଏସପିଜି ସୁରକ୍ଷା ହଟାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଗୃହ ମନ୍ତ୍ରାଳୟର ସୁରକ୍ଷା ସମୀକ୍ଷା କମିଟିର ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏବେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ଏବେ ଏହି ଏସପିଜି ସୁରକ୍ଷା ରହିବ ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗାନ୍ଧୀ ପରିବାରକୁ ମିଳିଥିବା ଏପିଜି ସୁରକ୍ଷାକୁ ହଟାଯାଇଛି । ସମ୍ୱାଦ ସରବରାହ ସଂସ୍ଥା ଏଏନଆଇ ଅନୁସାରେ ଏବେ କଂଗ୍ରେସର ଏହି ତିନି ନେତାଙ୍କୁ Z+ ସୁରକ୍ଷା ପ୍ରଦାନ କରାଯିବ ।

ସୂଚନା ଅନୁସାରେ ଏସପିଜି ସୁରକ୍ଷା ଉଠାଯିବା ପରେ ଏବେ Z+ ଶ୍ରେଣୀ ସୁରକ୍ଷା ଯୋଗାଯିବ ଏବଂ ସିଆପିଏଫର କମାଣ୍ଡୋ ସୁରକ୍ଷାରେ ନିୟୋଜିତ ହେବେ । ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗୃହ ମନ୍ତ୍ରାଳୟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଆଯାଇଛି । ଏହାର ଅର୍ଥ ଏବେ ଏସପିଜି ସୁରକ୍ଷା କେବେଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ରହିବ । ଏହା ପୂର୍ବରୁ ଏସପିଜି ସୁରକ୍ଷା କେବଳ ଚାରି ଜଣଙ୍କୁ ଦିଆଯାଉଥିଲା, ଯେଉଁଥିରେ ପିଏମ ମୋଦୀଙ୍କ ସହ କଂଗ୍ରେସ ଏହି ତିନି ଜଣ ନେତା ସାମିଲ ଥିଲେ ।

କୁହାଯାଉଛି ଯେ ଏହି ନିଷ୍ପତ୍ତି ସୁରକ୍ଷା ସଂସ୍ଥା ଗୁଡିକୁ ମିଳିଥିବା ଇନପୁଟ ଆଧାରାରେ ନିଆଯାଇଛି । ସୂତ୍ର ଅନୁସାରେ ଗତ କିଛି ସମୟ ଧରି ଗାନ୍ଧୀ ପରିବାର ଉପରେ କୌଣସି ଆକ୍ରମଣର ଶଂକା ନଥିଲା । ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ସମୟ-ସମୟରେ କରାଯାଉଛି ଏବଂ ଅବଶ୍ୟକ ଅନୁସାରେ ତାକୁ ଅଧିକ କିମ୍ୱା କମ କରାଯାଇଥାଏ । ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଠାରୁ ଏସପିଜି ସୁରକ୍ଷା ହଟାଇ ସିଆରପିଏଫର Z+ ସୁରକ୍ଷା ଶ୍ରେଣୀରେ ସାମିଲ କରାଯାଇଥିଲା ।