ଭୁବନେଶ୍ବର,୧୩/୧୨: ଜନ୍ମ ସାର୍ଟିଫିକେଟ ଯୋଗାଇ ଦେବାକୁ ହଜାରେ ଟଙ୍କା ଲାଞ୍ଚ। ଏଭଳି ଏକ ଅଭିଯୋଗରେ ଆଜି ଭୁବନେଶ୍ବର ଭିଜିଲାନ୍ସ ବିଭାଗ ନଗର ସ୍ବାସ୍ଥ୍ୟ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ ଗିରଫ କରିଛି। ତାଙ୍କ ନାଁ ମନୋରଂଜନ ଦାସ(୪୩)। ଘର ଖାରବେଳନଗର ଥାନା ଅଧୀନ ସତ୍ୟନଗର ପ୍ଲଟ୍ ନମ୍ବର-୧୫ରେ। ସେ ନଗର ସ୍ବାସ୍ଥ୍ୟ କାର୍ଯ୍ୟାଳୟର ଆଣ୍ଟି ଲାର୍ଭା ସେକ୍ସନ୍ରେ ସୁପରଭାଇଜର୍ ଭାବେ କାମ କରନ୍ତି। ସେ ଲାଞ୍ଚ ନେଇଥିବା ଟଙ୍କା, ମୋବାଇଲ୍ ଫୋନ ସମେତ କିଛି କାଗଜପତ୍ରକୁ ଭିଜିଲାନ୍ସ ଜବତ କରିଛି। ପରେ ପରେ ଭିଜିଲାନ୍ସ ପକ୍ଷରୁ ନଗର କାର୍ଯ୍ୟାଳୟ, ତାଙ୍କ ସତ୍ୟନଗର ଘର, ପୈତୃକ ଘରେ ଚଢ଼ଉ ଚଳାଇଛି। ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ ଆରମ୍ଭ କରିଛି ଭିଜିଲାନ୍ସ। ଭିଜିଲାନ୍ସ ପକ୍ଷରୁ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଆସନ୍ତାକାଲି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଧୀନ ବୋଧିପୁର ଗ୍ରାମର କୁଳମଣି ମେହେରଙ୍କ ଝିଅ କିଛି ମାସ ତଳେ କ୍ୟାପିଟାଲ ହସ୍ପିଟାଲରେ ଏକ କନ୍ୟାସନ୍ତାକୁ ଜନ୍ମ ଦେଇଥିଲେ। ଏଠାରେ ସେ ଚନ୍ଦକା ଥାନା ଅଧୀନ ଗୋଠପାଟଣାରେ ରହନ୍ତି। ଏଥିପାଇଁ ସେ ଖାରବେଳନଗରରେ ଥିବା ନଗର ସ୍ବାସ୍ଥ୍ୟ କାର୍ଯ୍ୟାଳୟରେ ଆବେଦନ କରିଥିଲେ। କିନ୍ତୁ ତାଙ୍କୁ ଆଜି ଆସ କାଲି ଆସ କହି କାର୍ଯ୍ୟାଳୟର କର୍ମଚାରୀ ଦିନ ଗଡ଼ାଇ ଚାଲୁଥିଲେ। ଏହି ସମୟରେ ତାଙ୍କର ମନୋରଂଜନଙ୍କ ସହ ଦେଖା ହୋଇଥିଲା। ସେ ତାଙ୍କୁ ୩ ହଜାର ଟଙ୍କା ମାଗିଥିଲେ। କୁଳମଣି ଟଙ୍କା ଦେଇଥିଲେ ମଧ୍ୟ ସେ ଆହୁରି ହଜାରେ ଟଙ୍କା ମାଗିଥିଲେ। ଶେଷରେ କୁଳମଣି ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଜି ସଂଧ୍ୟାରେ ଭିଜିଲାନ୍ସ ବିଭାଗ କର୍ମଚାରୀ ନଗର ସ୍ବାସ୍ଥ୍ୟ କାର୍ଯ୍ୟାଳୟ ନିକଟରେ ଲୁଚି ରହିଥିଲେ। କୁଳମଣି ଲାଞ୍ଚ ଟଙ୍କା ଦେବା କ୍ଷଣି ଭିଜିଲାନ୍ସର ଅଧିକାରୀମାନେ ତାଙ୍କୁ ଧରିଥିଲେ।