ଭୁବନେଶ୍ୱର,୩୦/୮: ସେଣ୍ଟର ଫର ଦ ଷ୍ଟଡି ଅଫ ଡେଭଲପିଙ୍ଗ ସୋସାଇଟି ପକ୍ଷରୁ ପ୍ରସ୍ତୁତ ଷ୍ଟାଟସ ଅଫ ପୋଲିସିଂ ଇନ ଇଣ୍ଡିଆ ରିପୋର୍ଟ-୨୦୧୯ରେ ପ୍ରକାଶିତ ହୋଇଥିବା ତଥ୍ୟ ଅନୁସାରେ ଦେଶର ଅନ୍ୟ ସବୁ ରାଜ୍ୟର ପୁଲିସଙ୍କ ଅପେକ୍ଷା ଓଡିଶା ପୁଲିସ ସର୍ବାଧିକ ୧୮ ଘଣ୍ଟା କାମ କରିଥାନ୍ତି | ଓଡ଼ିଶାର ୬୦ ପ୍ରତିଶତରୁ ଅଧିକ ପୁଲିସ କର୍ମଚାରୀ ୧୬ ଘଣ୍ଟାରୁ ଅଧିକ ସମୟ କାମ କରୁଥିବାବେଳେ ୨୨ ପ୍ରତିଶତ ପୁଲିସ କର୍ମଚାରୀ ୧୩ ଘଣ୍ଟା କାମ କରିଥାନ୍ତି | ମାତ୍ର ୪ ପ୍ରତିଶତ ପୁଲିସ କର୍ମଚାରୀ ୮ ଘଣ୍ଟା କାର୍ଯ୍ୟ କରିଥାନ୍ତି | ତେବେ ମଡେଲ ପୁଲିସ ଆକ୍ଟ-୨୦୧୬ରେ ୮ ଘଣ୍ଟାର ସମୟ ସୀମା ଧାର୍ଯ୍ୟ ହୋଇଥିବା ବେଳେ ଓଡ଼ିଶାରେ ଅର୍ଦ୍ଧାଧିକ ପୁଲି କର୍ମଚାରୀ କିନ୍ତୁ ଏହି ନିୟମଠାରୁ ବହୁ ଦୂରରେ | ଏହି ଏନଜିଓ ପକ୍ଷରୁ ହୋଇଥିବା ଏହି ସର୍ଭେରେ ଦାବି କରାଯାଇଛି ଯେ ୯୪ ପ୍ରତିଶତ ପୁଲିସ କର୍ମଚାରୀ ସେମାନଙ୍କ ସାପ୍ତାହିକ ଛୁଟି ପାଆନ୍ତି ନାହିଁ |
ସେହିପରି କାର୍ଯ୍ୟଭାର ଅଧିକ ଯୋଗୁଁ ୮୦ ପ୍ରତିଶତ ମହିଳା ପୁଲିସ କାର୍ଯ୍ୟ ସମୟ ସାରିବା ପରେ ବି ସେଠାରେ ରହିବାକୁ ପଡିଥାଏ | ଚର୍ଚ୍ଚା ହେଉଛି ଓଡ଼ିଶାରେ ଏଭଳି ସ୍ଥିତି ଉତ୍ପନ୍ନ ହେବା ପଛରେ ବଡ କାରଣ ହେଉଛି ପୁଲିସଙ୍କ ସଂଖ୍ୟା କମ ରହିଛି | ରାଜ୍ୟରେ ୭୩୪୨୪ ଜଣ ପୁଲିସ କର୍ମୀଙ୍କ ଆବଶ୍ୟକତା ଥିବାବେଳେ ୮୪ ପ୍ରତିଶତ ହିଁ ପୂରା ହୋଇପାରିଛି | ୩୦ ପ୍ରତିଶତ ପୁଲିସ ଅଧିକାରୀଙ୍କ କ୍ଷେତ୍ରରେ କମ ରହିଛି | ତେବେ ଏହି ଅଧିକାରୀଙ୍କ ତାଲିକାରେ ଇନ୍ସପେକ୍ଟର, ସବଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର ଆସୁଛନ୍ତି |
ତଥ୍ୟ ସୂଚନା ଦେଇଛି ଯେ ୮୦ ପ୍ରତିଶତ ପୁଲିସ କହିଛନ୍ତି ଯେ ଅଧିକ କାମ ତଦନ୍ତର ଗୁଣବତ୍ତା ଉପରେ ପ୍ରଭାବ ପକାଉଛି | ସେହିପରି ୯୭ ପ୍ରତିଶତ ପୁଲିସ କହନ୍ତି ଯେ ପରିବାର ସହ ସେମାନେ ସମୟ କଟାଇପାରୁନାହାନ୍ତି | ୮୯ ପ୍ରତିଶତ ପୁଲିସ କୁହନ୍ତି ଯେ ଏଭଳି ଅତ୍ୟଧିକ କାମ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ପ୍ରଭାବ ପକାଉଛି | ଏବେ ନଜର ପକାନ୍ତୁ କେଉଁ ସବୁ ରାଜ୍ୟରେ କେତେ ଘଣ୍ଟା ଅଧିକ କାମ କରୁଛନ୍ତି ପୁଲିସ |
ରାଜ୍ୟ କାର୍ଯ୍ୟ ସମୟ
ଓଡିଶା ୧୮ ଘଣ୍ଟା
ପଞ୍ଜାବ ୧୭ ଘଣ୍ଟା
ଆନ୍ଧ୍ର ପ୍ରଦେଶ ୧୬ ଘଣ୍ଟା
ବିହାର ୧୬ ଘଣ୍ଟା
ଛତିଶଗଡ଼ ୧୬ ଘଣ୍ଟା
ହରିୟାଣା ୧୬ ଘଣ୍ଟା
ହିମାଚଳ ପ୍ରଦେଶ ୧୬ ଘଣ୍ଟା
ରାଜସ୍ଥାନ ୧୬ ଘଣ୍ଟା
ତେଲେଙ୍ଗାନା ୧୬ ଘଣ୍ଟା
ଉତ୍ତରପ୍ରଦେଶ ୧୫ ଘଣ୍ଟା