ଦେଶର ୧୭ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେବ ବିଶ୍ୱସ୍ତରୀୟ : ତାଲିକାରେ ଓଡ଼ିଶାର ସ୍ଥାନ ନାହିଁ

0

ଭୁବନେଶ୍ୱର,୮/୭: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଦେଶର ୧୭ଟି ପ୍ରମୁଖ କୀର୍ତ୍ତିରାଜି ତଥା ପର୍ଯ୍ୟଟନସ୍ଥଳୀକୁ ବିଶ୍ୱସ୍ତରୀୟ କରିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ବଜେଟ ଉପସ୍ଥାପନ ବେଳେ ଏହି ସୂଚନା ଦେଇଥିଲେ। ହେଲେ ଆଶ୍ଚର୍ଯ୍ୟର ବିଷୟ ଯେ, ଓଡ଼ିଶାର କୌଣସି ଗୋଟିଏ ବି କୀର୍ତ୍ତିରାଜି ଏହି ତାଲିକାରେ ସ୍ଥାନ ପାଇନାହିଁ। ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧି ଲାଭ କରିଥିବା କୋଣାର୍କ ମନ୍ଦିର, ଶ୍ରୀଜଗନ୍ନାଥ ମନ୍ଦିର ଅଥବା ରତ୍ନଗିରି, ଲଳିତଗିରି, ଉଦୟଗିରି ଭଳି ବୌଦ୍ଧଧର୍ମୀୟ ସ୍ଥାପତ୍ୟ ମଧ୍ୟ ସ୍ଥାନ ପାଇନାହିଁ। ଏହି ତାଲିକାରେ ଓଡ଼ିଶା ସ୍ଥାନ ନ ପାଇବା ଅନେକଙ୍କୁ ବ୍ୟଥିତ କରିଛି।

୧୨ ରାଜ୍ୟର ୧୭ଟି ଏତିହ୍ୟକୁ ଏହି ତାଲିକାରେ ସ୍ଥାନ ଦିଆଯାଇଛି। ସେଗୁଡ଼ିକ ହେଲା- ୟୁପିର ତାଜ୍‌ମହଲ ଓ ଫତେପୁର ସିକ୍ରୀ, ମହାରାଷ୍ଟ୍ରର ଅଜନ୍ତା ଓ ଏଲୋରା, ଦିଲ୍ଲୀର ହୁମାୟୁନ୍‌ ଟମ୍ବ, କୁତବ୍‌ମୀନାର ଏବଂ ଲାଲକିଲ୍ଲା, ଗୋଆର କ୍ଲୋଭା ସମୁଦ୍ରକୂଳ, ରାଜସ୍ଥାନର ଆମେର ଫୋର୍ଟ, ଗୁଜରାଟର ସୋମନାଥ ଏବଂ ଦୋଲାବିରା, ମଧ୍ୟପ୍ରଦେଶର ଖଜୁରାହୋ, କର୍ନାଟକର ହାମ୍ପି, ତାମିଲନାଡୁର ମହାବଳିପୁରମ୍‌, ଆସାମର କାଜିରଙ୍ଗା, କେରଳର କୁମାରକମ୍‌ ଏବଂ ବିହାରର ମହାବୌଦ୍ଧି। ଏହିସବୁ ପର୍ଯ୍ୟଟନସ୍ଥଳୀରେ ଘରୋଇ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରାଯିବ। ଦକ୍ଷତା ବିକାଶ, ସ୍ଥାନୀୟ ଲୋକଙ୍କୁ ରୋଜଗାର, ଅନ୍ୟ ପ୍ରମୁଖ ସହରଗୁଡିକ ସହ ଯୋଗାଯୋଗ ବ୍ୟବସ୍ଥା ଏବଂ ଭିତ୍ତିଭୂମିର ଉନ୍ନୟନ କରାଯିବ। ଚୟନ କରାଯାଇଥିବା ୧୭ଟି ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଏକାଧିକ ସ୍ଥାନକୁ ୟୁନେସ୍କୋ ପକ୍ଷରୁ ବିଶ୍ୱ କୀର୍ତ୍ତିରାଜିରେ ସ୍ଥାନ ଦିଆଯାଇସାରିଛି। କେନ୍ଦ୍ର ପକ୍ଷରୁ ଗୁଜରାଟର ସୋମନାଥ ମନ୍ଦିର ଏବଂ ବିହାରର ମହାବୌଦ୍ଧିକୁ ସ୍ଥାନ ମିଳିବାରେ କୌଣସି ଅସୁବିଧା ହୋଇନାହିଁ। ସେହିଦୃଷ୍ଟିରୁ ବିଚାର କଲେ ପୁରୀ ଶ୍ରୀମନ୍ଦିର ଏବଂ ଲଳିତଗିରି-ଉଦୟଗିରି-ରତ୍ନଗିରିକୁ ସ୍ଥାନ ମିଳିବା କଥା ବୋଲି କେତେକ ପର୍ଯ୍ୟଟନ ସମୀକ୍ଷକ ମତ ରଖିଛନ୍ତି।

Leave A Reply

Your email address will not be published.