ନଭେମ୍ବର ୨୨ରେ ଏକଜୁଟ ହେବେ ବିରୋଧୀ

0

ନୂଆଦିଲ୍ଲୀ,୧୮/୧୧: ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଏକତାକୁ ମଜବୁତ କରିବା ପାଇଁ ରାଜନୈତିକ ଦଳ ନଭେମ୍ବର ୨୨ରେ ରାଜଧାନୀରେ ମହତ୍ଵପୂର୍ଣ୍ଣ ବୈଠକ କରିବାକୁ ଯାଉଛନ୍ତି। ଏହି ବୈଠକରେ ଯୋଗ ଦେବାକୁ ଥିବା ସମସ୍ତ ବିରୋଧୀ ଦଳ କେବଳ ୨୦୧୯ରେ ବିଜେପି ନେତୃତ୍ଵାଧୀନ ଏନଡିଏକୁ ରୋକିବାକୁ ଚେଷ୍ଟା କରିବେ ତା ନୁହେଁ ବରଂ ଏହି ବୈଠକ ଜରିଆରେ ନିର୍ବାଚନୀ ରାଜ୍ୟରେ ବିରୋଧୀଙ୍କ ଏକତାକୁ ନେଇ ସନ୍ଦେଶ ମଧ୍ୟ ଦେବେ। ବିରୋଧୀ ଦଳଙ୍କ ଏହି ବୈଠକ ଏମିତି ସମୟରେ ଆୟୋଜିତ ହେଉଛି, ଯେବେ ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼. ତେଲଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।

ଏହି ପାଞ୍ଚୋଟି ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ଟକ୍କର ଦେଖିବାକୁ ମିଳିଲେ ମଧ୍ୟ ଏନଡିଏ ବିରୋଧରେ ହେଉଥିବା ବିରୋଧୀ ଏକତା ଏହି ରାଜ୍ୟର ମତଦାତାଙ୍କୁ ଏହି ସନ୍ଦେଶ ନିଶ୍ଚୟ ଦେବାକୁ ଚାହିଁବ ଯେ ଆଗାମୀ ସାଧାରଣ ନିର୍ବାଚନରେ ଏନଡିଏର ବିକଳ୍ପ ରୂପେ ବିରୋଧୀ ମେଣ୍ଟ ମଜବୁତର ସହ ଛିଡ଼ା ହୋଇଛି।
ଟିଏମସି, ଟିଡିପି, ଏନସି, ଡିଏମକେ, ଜେଡିଏସ, ସିପିଆଇ, ସିପିଏମ, ଆପ୍, ଏସପି, ଆରଜେଡି ଓ ଆରଏଲଡି ପରି ଦଳ ‘ଗଣତନ୍ତ୍ର ବଚାଓ, ଦେଶ ବଚାଓ’ର ଲକ୍ଷ୍ୟ ନେଇ ଏକ ସଙ୍ଗେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ। ଏହି ସବୁ ଦଳ ଏହା ମାନୁଛନ୍ତି ଯେ ବିଜେପି ହିଁ ସେମାନଙ୍କର ମୁଖ୍ୟ ପ୍ରତିଦ୍ଵିନ୍ଦୀ ଦଳ।

Leave A Reply

Your email address will not be published.