କୋଲକାତା, ୨୦/୧୨ : ପଶ୍ଚିମବଙ୍ଗରେ ବିଜେପିର ପ୍ରସ୍ତାବିତ ରଥଯାତ୍ରାକୁ ବିରୋଧ କରୁଥିବା ମମତା ବାନାର୍ଜିଙ୍କ ସରକାରକୁ କୋଲକାତା ହାଇକୋର୍ଟ ପକ୍ଷରୁ ଜୋରଦାର ଝଟକା ଲାଗିଛି । ବିଜେପିର ଦ୍ୱାରା ପ୍ରସ୍ତାବିତ ୩ ଟି ରଥଯାତ୍ରାର ଆୟୋଜନ କରିବାକୁ ହାଇକୋର୍ଟ ପକ୍ଷରୁ ମଞ୍ଜୁରୀ ଦିଆଯାଇଛି । ତେବେ ଏହା ସହିତ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କି, ନିୟମ ଏବଂ ବ୍ୟବସ୍ଥାର ଉଲଙ୍ଘନ ଯେପରି କରାନଯିବ ତାହା ପ୍ରଶାସନ ଧ୍ୟାନ ରଖିବ । ରାଜ୍ୟରେ ଏହି ଗଣତନ୍ତ୍ର ବଞ୍ଚାଅ ରଥଯାତ୍ରା ପାଇଁ ଦଳ ୩ଟି ତାରିଖ ସ୍ଥିର କରିଛି । ସେଗୁଡିକ ହେଉଛି ଡିସେମ୍ବର ୨୨ ( କୁଚବିହାର), ୨୪ ( ଚବିଶ ଫଗଣା ଅନ୍ତର୍ଗତ କକଦ୍ୱୀପ ଓ ଡିସେମ୍ବର ୨୬ ( ବୀରଭୂମ ଜିଲ୍ଲାର ତାରାପୀଠ) । ବିଜେପି ଦ୍ୱାରା ପ୍ରସ୍ତାବିତ ରଥଯାତ୍ରାକୁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଇନଥିଲେ । ରଥଯାତ୍ରା ଦ୍ୱାରା ରାଜ୍ୟରେ ସମ୍ପ୍ରଦାୟୀକ ଦଙ୍ଗା ହେବାର ଆଶଙ୍କା ପ୍ରକାଶ ହୋଇଥିଲା । କୌଣସି ସଭା କରିବା ପାଇଁ ବାରଣ କରାଯାଉ ନାହିଁ, କି;ୁ ଆଇନ ବ୍ୟବସ୍ଥାକୁ ଆଖିରେ ରଖି ରଥଯାତ୍ରାର ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସରକାର କହିଥିଲେ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏହି ରଥଯାତ୍ରାର ପ୍ରସ୍ତାବକୁ ରାଜନୈତିକ ଷଡଯନ୍ତ୍ରର ଆଖ୍ୟା ଦେଇଥିଲେ ଏବଂ ଏହାକୁ ଅଣଦେଖା କରିବାକୁ ରାଜ୍ୟର ସାଧାରଣ ଜନତାଙ୍କୁ ଆବେଦନ କରିଥିଲେ । ତେବେ ପଶ୍ଚିମବଙ୍ଗ ସରକାରଙ୍କ ଅନୁମତି ନମିଳିବାରୁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା ବିଜେପି ।