ନୂଆଦିଲ୍ଲୀ, ୨୮/୮: ସୁଇଜରଲ୍ୟାଣ୍ଟରେ ଖେଳାଯାଇଥିବା ବିଶ୍ୱ ପାରା ବ୍ୟାଡ୍ମିଣ୍ଟନ୍ ଚାମ୍ପିଅନ୍ସିପ୍ରେ ଦୁଇ ଦୁଇଟି ସ୍ୱର୍ଣ୍ଣପଦକ ହାସଲ କରିଥିବା ଭାରତୀୟ ଖେଳାଳୀ ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହା ସହିତ ପୁରସ୍କାର ରାଶି ବାବଦକୁ ତାଙ୍କୁ ୩୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । କେନ୍ଦ୍ର ଯୁବ ଓ କ୍ରୀଡ଼ା ମନ୍ତ୍ରୀ କିରଣ ରିଜ୍ଜୁ ତାଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି ।
ପ୍ରମୋଦ ଉଭୟ ଯୁଗଳ ଓ ଏକକ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ପ୍ରଥମେ ଯୁଗଳ ବର୍ଗରେ ପ୍ରମୋଦ ଓ ସନୋଜ ସରକାରଙ୍କ ଯୋଡ଼ି ଭାରତୀୟ ତାରକା ତରୁଣ-ନିତେଶ କୁମାର ଯୋଡ଼ିଙ୍କୁ ହରାଇଥିଲେ । ତରୁଣ-ନିତେଶ ଯୋଡ଼ିଙ୍କୁ ୧୪-୨୧, ୨୧-୧୫ ଓ ୨୧-୧୬ ସେଟ୍ରେ ହରାଇଛି ପ୍ରମୋଦ ଓ ସରୋଜ ସ୍ୱର୍ଣ୍ଣ ପଦ ହାସଲ କରିଥିଲେ । ଏହା ପରେ ସିଙ୍ଗଲ୍ସରେ ପ୍ରମୋଦ ଇଂଲଣ୍ଡର ଡାନିଆଲ୍ ବେଥେଲଙ୍କ ପରାସ୍ତ କରିଥିଲେ । ପ୍ରମୋଦ ଡାନିଆଲ୍ଙ୍କୁ ୬-୨୧, ୨୧- ୧୪ ଓ ୨୧-୧୫ ହରାଇ ବିଶ୍ୱ ଚାମ୍ପିୟନ୍ସିପ୍କୁ ନିଜ ନାଁରେ କରି ନେଇଥିଲେ ।