କଟକ, ୨୮/୧୨: କଟକ-ପାରାଦୀପ ରାସ୍ତା କମରପଦାଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ପିକନିକ ବସ୍ ଓଲଟି ୨ଜଣ ପ୍ରାଣ ହରାଇଛନ୍ତି ଓ ୪୦ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି ।
ସୂଚନାନୁସାରେ, ଭୁବନେଶ୍ୱର ନୀଳାଦ୍ରୀ ବିହାରରୁ ମା’ ଶାରଳା ପିକନିକ ବସ୍ ଆଜି ଭୋରୁ ପାରାଦୀପ ଯାଉଥିଲା । କଟକ-ପାରାଦୀପ ରାସ୍ତା କମରପଦାଠାରେ ଏକ ହାଇୱା ଗାଡିକୁ ଧକ୍କା ଦେଇ ପିକନିକ ବସ୍ ଓଲଟି ପଡିଥିଲା । ଫଳରେ ହାଇୱା ଡ୍ରାଇଭର ଓ ବସ୍ର ହେଲପର୍ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରେ କନ୍ଦରପୁର ଥାନା ପୋଲିସ ଓ ୩ଟି ଟିମ୍ ପହଂଚି ଉଦ୍ଧାର କରିଛନ୍ତି । ଆହତଙ୍କୁ ନିକଟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ଗୁରୁତର ତିନି ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଗ୍ରାମାଂଚଳ ଏସପି ମାଧବ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ତେବେ ଦୁର୍ଘଟଣା ବସ୍ର ଦ୍ରୁତ ଗତି ପାଇଁ ହୋଇଛି କି ଘନ କୁହୁଡି ପାଇଁ ହୋଇଛି ତାହା ସ୍ପଷ୍ଟ ଜଣାପଡିନାହିଁ । ପୋଲିସ ତଦନ୍ତ ଆରମ୍ଭ କରିଛି ।