ନୂଆଦିଲ୍ଲୀ,୨୨/୧୧: ଭାରତ ସରକାର ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଦେଶର ସମସ୍ତ ୫୪୩ ସଂସଦୀୟ କ୍ଷେତ୍ରରେ ପାସପୋର୍ଟ ସେବା କେନ୍ଦ୍ର ଖୋଲିବାକୁ ଯୋଜନା କରୁଛନ୍ତି। ସରକାର ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ ଭାରତୀୟ ନାଗରିକ ଦେଶରେ ହେଉ କି ବିଦେଶରେ ହେଉ, ସେମାନଙ୍କୁ ନିଜର ପାସପୋର୍ଟ ହାସଲ କରିବାରେ ଯେମିତି କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ନପଡ଼େ।
ବୁଧବାର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ନ୍ୟୁୟର୍କ ଭାରତୀୟ ବାଣିଜ୍ୟ ଦୂତାବାସରେ ପାସପୋର୍ଟ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସିଂହ କିଛି ଭାରତୀୟ ନାଗରିକଙ୍କୁ ପାସପୋର୍ଟ ମଧ୍ୟ ପ୍ରଦାନ କରିଛନ୍ତି, ଯେଉଁମାନେ ନୂତନ ପ୍ରୋଗ୍ରାମ ଜରିଆରେ ନିଜର ପାସପୋର୍ଟର ନବୀକରଣ କରାଇଥିଲେ। ଭିକେ ସିଂହ କହିଛନ୍ତି ଯେ ପାସପୋର୍ଟ ସେବା ପ୍ରୋଗ୍ରାମ ଜରିଆରେ ଭାରତରେ ପାସପୋର୍ଟ ସେବା ଯୋଗାଣରେ ବହୁତ ପରିବର୍ତ୍ତନ ଆସିଛି।
କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ସେ କହିଛନ୍ତି ଯେ ଏହି ପ୍ରୋଜେକ୍ଟ ବିଦେଶରେ ଆମର ନାଗରିକଙ୍କ ଉନ୍ନତ ସେବା ସୁନିଶ୍ଚିତ କରିବ। ନୂତନ ସିଷ୍ଟମ ସହଜ ଓ ସୁବିଧାଜନକ ଆବେଦନ କରିବା ପ୍ରକ୍ରିୟା, ଷ୍ଟାଟସ ବୁକିଙ୍ଗ, ସୁରକ୍ଷା ଆଦିକୁ ଆହୁରି ଉନ୍ନତ କରିବ।
