ବର୍ଷକରେ ୬ ଜେଲ୍‌ ଅନ୍ତେବାସୀ ଖାଇଛନ୍ତି ୧୮ ଲକ୍ଷର ଜଳଖିଆ

0

ଭୁବନେଶ୍ୱର, ୧୩/୧୧ : ରାଜ୍ୟର ୬ଟି ଜେଲରେ ଥିବା ଅନ୍ତେବାସୀଙ୍କ ଜଳଖିଆ ବାବଦକୁ ବର୍ଷକ ଭିତରେ ୧୮ ଲକ୍ଷ ଟଙ୍କା ଆୟ ହୋଇଛି । ସବୁଠୁ ଅଧିକ ୭ଲକ୍ଷ ୨୨ ହଜାର ଟଙ୍କାର ଜଳଖିଆ ଖାଇଛନ୍ତି ଝାରପଡା ଜେଲର ଅନ୍ତେବାସୀ । ତା ପଛକୁ ଅଛି ଚୌଦ୍ୱାର ଜେଲ୍‌, ଏଠାରୁ ଆୟ ହୋଇଛି ୬ ଲକ୍ଷ ୩୦ହଜାର । ବ୍ରହ୍ମପୁର ଜେଲରୁ ୩ ଲକ୍ଷରୁ ଅଧିକ ଇନକମ୍‌ ହୋଇଥିବାବେଳେ ବାରିପଦା ଜେଲରୁ ୬୦ ହଜାର, କେନ୍ଦୁଝରରୁ ୫୦ହଜାର ଓ ବାଲେଶ୍ୱରରୁ ୫୪ ହଜାର ଟଙ୍କା ସଂଗ୍ରହ ହୋଇଛି । ଏହା ସାମ୍ନାକୁ ଆସିଛି ଜେଲ୍‌ କର୍ତ୍ତୃପକ୍ଷଙ୍କ ଏକ ନିୟମ ଫଳରେ । ନିକଟରେ ଜେଲ୍‌ କର୍ତ୍ତୃପକ୍ଷ ଆଇନ କରିଥିଲେ ଜେଲ ଭିତରକୁ ବାହାର ଖାଦ୍ୟ ନେବା ଉପରେ ପ୍ରତିବନ୍ଧକ ସହ ଖାଦ୍ୟ ଆଳରେ ବେଆଇନ ସାମଗ୍ରୀ ନିଆଯିବା ରୋକିବାକୁ ନିଷ୍ପତ୍ତି ନେଇଥିଲେ । ତାସହ ଗୋଟିଏ ପ୍ରକାର ଖାଦ୍ୟ ଶୈଳୀରେ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନେଇଥିଲେ । ଯେଉଁଥିରେ ସଜା କାଟୁଥିବା କଏଦୀ ଜେଲ୍‌ରେ କାମ କରି ଉପାର୍ଜନ କରୁଥିବା ଅର୍ଥରେ ଜେଲ୍‌ ଭିତରେ ଥିବା କ୍ୟାଣ୍ଟିନ୍‌ର ଜଳଖିଆ କିଣି ଖାଇ ପାରିବ । ତଥ୍ୟ ଅନୁସାରେ କଏଦୀଙ୍କ ଦୈନିକ ମଜୁରୀ ୪୦ ଟଙ୍କା ରହିଥିବାବେଳେ, ପରିବାର ଲୋକେ ସର୍ବାଧିକ ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ମାସକୁ ୫୦୦ଟଙ୍କା ଡିପୋଜିଟ ରଖିପାରିବେ । ଏତେ କମ୍‌ ଟଙ୍କାର ବ୍ୟବସ୍ଥାରେ ଜଳଖିଆ ବାବଦରେ କଏଦୀ ଏତେ ଟଙ୍କା ଆଣିଲେ କେଉଁଠୁ ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି ।

Leave A Reply

Your email address will not be published.