ଖୋର୍ଦ୍ଧା ,୨୫/୩: ଭାଜପା ପକ୍ଷରୁ ବେଗୁନିଆ ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ରିଷଭ ନନ୍ଦଙ୍କୁ ଟିକେଟ ମିଳିଛି। ଏହି ଅବସରରେ ଦଳ ପକ୍ଷରୁ ଏକ ପ୍ରେସ ରିଲିଜ୍ ଦିଆଯାଇଛି । ତେବେ ରିଷଭ ଭାଜପାରେ ଯୋଗ ଦେବାପରେ ବେଗୁନିଆ ନିର୍ବାଚନମଣ୍ଡଳୀରେ ବିରୋଧ କରାଯାଇଥିଲା। ଦଳ ପକ୍ଷରୁ ରିିଷଭଙ୍କୁ ଟିକେଟ ଦିଆଯିବା ପରେ ଭାଜପାର କାର୍ଯ୍ୟକର୍ତ୍ତା ସମୂହ ଇସ୍ତଫା ଦେବେବୋଲି ବୋଲଗଡ଼ ବ୍ଲକର ପିଚୁକୁଳିଠାରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଘୋଷଣା କରାଯାଇଥିଲା। ଟିକେଟ ମିଳିବା ପରେ କାର୍ଯ୍ୟକର୍ତ୍ତା ଇସ୍ତଫା ଦେବା ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇଥିବା ଜଣାପଡିଛି।
କାର୍ଯ୍ୟକର୍ତ୍ତାଙ୍କ ଅଭିଯୋଗ ଅନୁସାରେ ବେଗୁନିଆ ନିର୍ବାଚନମଣ୍ଡଳୀର ପୁରୁଣା ସଙ୍ଗଠକ ତଥା ଭାଜପାର ରାଜ୍ୟ ସମ୍ପାଦକ ଯତୀନ୍ ମହାନ୍ତି ଦଳୀୟ ସଙ୍ଗଠନକୁ ବେଗୁନିଆ ନିର୍ବାଚନମଣ୍ଡଳୀରେ ବଞ୍ଚାଇ ରଖିଥିଲେ। ଦଳର ସଙ୍ଗଠନ ନ ଥିବାବେଳେ ଯତୀନ୍ ଘରକୁ ଘର ବୁଲି ସଙ୍ଗଠନ କରିଥିଲେ। ତେବେ ଯତୀନ୍ଙ୍କୁ ଅଣଦେଖା କରି ରିଷଭଙ୍କୁ ଟିକେଟ ଦେଇ ଦଳ ଠିକ୍ କରି ନାହିଁ ବୋଲି କୁହାଯାଉଛି । ଯତୀନ୍ ରାଜ୍ୟ କର୍ମକର୍ତ୍ତା ହୋଇବି ତାଙ୍କୁ ଅଣଦେଖା କରାଗଲା। ରିଷଭଙ୍କ ବାପା ପ୍ରଶାନ୍ତ ନନ୍ଦ ଏଠାରୁ ୨୦୦୦ରେ ଭାଜପା ପ୍ରାର୍ଥୀ ହୋଇ ବିଜୟୀ ହେବା ପରେ ନିର୍ବାଚନମଣ୍ଡଳୀକୁ ଭୁଲି ଯାଇ ରାଜଧାନୀରେ ରହିଲେ। ପରବର୍ତ୍ତୀ ସମୟରେ ଭାଜପା ଛାଡ଼ି ବିଜେଡିରେ ଯୋଗ ଦେଲେ। ସେହିପରି ତାଙ୍କ ପୁଅ ରିଷଭ ବିଜେଡି ପ୍ରାର୍ଥୀ ପାଇଁ ଲବି ଚଳାଇଥିଲେ । ସୁଫଳ ନ ମିଳିବାରୁ ଭାଜପାରେ ମିଶିଲେ।