ମୋଦୀ ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳର ୧୦୦ ଦିନ

ନୂଆଦିଲ୍ଲୀ,୮/୯: ମୋଦୀ ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳର ୧୦୦ ଦିନ ପୂରା ହେବା ଅବସରରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ସରକାରଙ୍କ ଉପଲବ୍ଧି ଉତଥାପନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ୧୦୦ ଦିନରେ ଏତେ ମହତ୍ଵପୂର୍ଣ୍ଣ ଓ ଏତେ ଅଧିକ ନିର୍ଣ୍ଣୟ ବୋଧହୁଏ କୌଣସି ସରକାର ନେଇ ନାହାନ୍ତି। ଅନୁଚ୍ଛେଦ ୩୭୦ ଉଚ୍ଛେଦ, ତିନି ତଲାକ ସମାପ୍ତ କରିବା ସରକାର ୧୦୦ ଦିନରେ କରିଥିବା ସବୁଠୁ ବଡ଼ ମହତ୍ଵପୂର୍ଣ୍ଣ କାମ।

ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି ଯେ ୭୦ ବର୍ଷରୁ ଜାମ୍ମୁ-କାଶ୍ମୀର ଅବହେଳିତ ହୋଇ ପଡ଼ିଥିଲା। ସେଠାକାର ନାଗରିକଙ୍କୁ ସରକାରୀ ଯୋଜନାର ଲାଭ ମିଳୁନଥିଲା। ଏବେ ଜାମ୍ମୁ-କାଶ୍ମୀର ଓ ଲଦାଖକୁ ସବୁ ଯୋଜନାର ଲାଭ ମିଳିବା ଆରମ୍ଭ ହୋଇ ଯାଇଛି। ପୂରା ଜାମ୍ମୁ-କାଶ୍ମୀର ଓ ଲଦାଖରେ କେବଳ ୧୪-୧୫ ଥାନା ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ତିନି ତଲାକ, ପକ୍ସୋ, ସମାନ ବେତନ ଦେବା ଐତିହାସିକ ନିର୍ଣ୍ଣୟ, ୪୦ କୋଟି ଅସଂଗଠିତ ଶ୍ରମିକ, ୬ କୋଟି କ୍ଷୁଦ୍ର ବ୍ୟବସାୟୀ ଓ ୧୪ କୋଟି ଚାଷୀଙ୍କୁ ପେନସନ ଦେବା ଯୋଜନା ବହୁତ ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ଥିଲା। ଜନଧନ ଯୋଜନା, ଆଧାର ଓ ମୋବାଇଲରେ ପାରଦର୍ଶିତା ଆଣି ସିଧାସଳଖ ଯୋଜନାର ଫାଇଦା ଦେବା ମଧ୍ୟ ସରକାରଙ୍କ ଏକ ସଫଳତା ବୋଲି ପ୍ରକାଶ ଜାଭେଦକର କହିଛନ୍ତି।

ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଯେ, ଦେଶହିତ ପାଇଁ ଅଳ୍ପ ସମୟରେ ନିର୍ଣ୍ଣୟ, ପ୍ରସ୍ତୁତି ପାଇଁ ତ୍ଵରିତ ନିର୍ଣ୍ଣୟ, ବିକାଶ ପାଇଁ ବହୁତ ମହତ୍ଵପୂର୍ଣ୍ଣ ନିର୍ଣ୍ଣୟ, ସାମାଜିକ ନ୍ୟାୟ ପାଇଁ ନିର୍ଣ୍ଣୟ, ଗରିବ, ଶ୍ରମିକ, କୃଷକ, ଦଳିତ, ଆଦିବାସୀକୁ ସକ୍ଷମ କରିବାକୁ ନିର୍ଣ୍ଣୟ, ଏହି ସବୁ ବର୍ଗଙ୍କୁ ସୁରକ୍ଷା କବଚ ଦେବା ନିର୍ଣ୍ଣୟ, ସମସ୍ତ ସରକାରୀ ପ୍ରଶାସନରେ ପାରଦର୍ଶିତା ଆଣିବାକୁ ନିର୍ଣ୍ଣୟ, ଜନଭାଗିଦାରୀର ନିର୍ଣ୍ଣୟ ଓ ବିଶ୍ଵରେ ଭାରତର ଛବିକୁ ମଜବୁତ କରିବା ଆଦି ନିର୍ଣ୍ଣୟ ମୋଦୀଜୀଙ୍କ ନେତୃତ୍ଵରେ ନିଆଯାଇଛି।

ସେ କହିଛନ୍ତି ଯେ ସରକାର ଜାମ୍ମୁ-କାଶ୍ମୀରରେ ୩୭୦ ଉଚ୍ଛେଦ, ଅବୈଧ ଗତିବିଧି ରୋକିବା, ୫ ଲକ୍ଷ କୋଟି ଡଲାରର ଅର୍ଥନୀତି କରିବା ଦିଗରେ ଅଗ୍ରସର ହେବା ପାଇଁ ନିର୍ଣ୍ଣୟ ନିଆଯାଇଛି। ୨୦୧୪ରେ ଦେଶ ବିଶ୍ଵର ୧୧ତମ ବଡ଼ ଅର୍ଥବ୍ୟବସ୍ଥା ଥିଲା, ୨୦୧୯ରେ ପଞ୍ଚମ ବଡ଼ ଅର୍ଥବ୍ୟବସ୍ଥା ହୋଇଛି। ଏବେ ବିଶ୍ଵର ତୃତୀୟ ବଡ଼ ଅର୍ଥବ୍ୟବସ୍ଥା ହେବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ସେହି ଦିଗରେ କାର୍ଯ୍ୟ କରାଯାଉଛି।