ରାଜଧାନୀରେ ଆରମ୍ଭ ହେଲା ଅନ୍ତର୍ଜାତୀୟ ରେଡିଓ ମେଳା

ଭୁବନେଶ୍ୱର, ୧୪/୨: ଇଣ୍ଟରନେଟ୍‌, ସୋସିଆଲ ମିଡିଆ ଯୁଗରେ ରେଡିଓ ପ୍ରତି ଲୋକଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ବୁଧବାରଠାରୁ ରାଜଧାନୀରେ ଆରମ୍ଭ ହୋଇଛି ୫ମ ଅନ୍ତର୍ଜାତୀୟ ରେଡିଓ ମେଳା। ବିଶ୍ୱ ରେଡିଓ ଦିବସ ଅବସରରେ ଭୁବନେଶ୍ୱର ଭଞ୍ଜକଳାମଣ୍ଡପରେ ଆଉଟ୍‌ରିଚ୍‌ ସଂଗଠନ ପକ୍ଷରୁ ଆୟୋଜିତ ଏହି ଦୁଇଦିନିଆ ମେଳାରେ ଦେଶ ବିଦେଶରୁ ବହୁ ରେଡିଓ ଷ୍ଟେଶନ ସାମିଲ ହୋଇଛି। ନୂଆ ଓ ପୁରୁଣା ରେଡିଓ ସହ ଗ୍ରାମଫୋନ୍‌ ଆକର୍ଷଣ ସାଜିଛି। ରେଡିଓ ସହ ଯୋଡି ହୋଇ ରହିଥିବା ବିଭିନ୍ନ ସାମଗ୍ରୀ ମଧ୍ୟ ଏଠାରେ ପ୍ରଦର୍ଶିତ ହୋଇଛି। ରେଡିଓ ପ୍ରସାରଣଠାରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସଂକ୍ରାନ୍ତରେ ଲୋକେ ବହୁ ଜ୍ଞାନ ପାଇବା ସହ ବିଭିନ୍ନ ପ୍ରକାର ରେଡିଓ କିଣିବାର ମଧ୍ୟ ସୁଯୋଗ ରହିଛି। ସେହିପରି ଦେଶ ବିଦେଶର ରେଡିଓ ପ୍ରସାରକ, ରେଡିଓ ଜକି, ଉପସ୍ଥାପକ, ଖବର ପାଠକ ଏହି ମେଳାରେ ଯୋଗଦେଇଛନ୍ତି। ଓଡ଼ିଶାରୁ ମଧ୍ୟ ବିଭିନ୍ନ ଆକାଶବାଣୀ କେନ୍ଦ୍ର, ରେଡ ଏଫ୍‌ଏମ୍‌, ରେଡିଓ ଚକ୍‌ଲେଟ୍‌, ରେଡିଓ ଭୁବନେଶ୍ୱର ସମେତ ବହୁ ଭାରତୀୟ ରେଡିଓ ଚ୍ୟାନେଲ ଏହି ମେଳାରେ ସାମିଲ ହୋଇଛି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ, ମୁଖ୍ୟବକ୍ତା ଭାବେ ଏନ୍‌ଏଚ୍‌କେ ଓ୍ବାଲର୍‌ଡ ଜାପାନର ପ୍ରତିନିଧି ଅଖିଲ ମିତ୍ତଲ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଉଦ୍‌ଘୋଷକ ଉପେନ୍ଦ୍ର କୁମାର ପାହାଡ଼ସିଂ, ଆଇଆଇଏମ୍‌ସିର ଆଞ୍ଚଳିକ ନିର୍ଦ୍ଦେଶକ ମୃଣାଳ ଚାଟାର୍ଜୀ, ଭଏସ୍‌ ଅଫ୍‌ ଆମେରିକାର କରେସ୍‌ପଣ୍ଡେଣ୍ଟ୍‌ ପାରୋମାଶିଷ ଘୋଷ ରୟ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ପାଢୀ କହିଲେ, ରେଡିଓର ଚାହିଦା ସବୁବେଳେ ରହି ଆସିଛି। ଏବେବି ଇଣ୍ଟରନେଟ ଯୁଗରେ ଲୋକେ ରେଡିଓ ଶୁଣୁଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରେଡିଓର ବିଶେଷ ଗୁରୁତ୍ୱ ରହିଛି। ଯୁବ ପିଢି ହୁଅନ୍ତୁ ବା ଦୋକାନୀ ସମସ୍ତେ ରେଡିଓ ଶୁଣି ବିଭିନ୍ନ ପ୍ରସଙ୍ଗରେ ମତ ରଖୁଛନ୍ତି। ସମ୍ମାନିତ ଅତିଥି ଚାଟାର୍ଜୀ କହିଲେ, ୧୮୯୫ରେ ମାର୍କିନ ରେଡିଓ ଉଦ୍‌ଭାବନ କରିଥିଲେ। ପ୍ରଥମେ ଏହାକୁ ସୁରକ୍ଷା ବାହିନୀ ବ୍ୟବହାର କରୁଥିଲେ। ୧୯୨୧ରେ ଭାରତରେ ପ୍ରାଇଭେଟ ରେଡିଓ କ୍ଲବ ଆରମ୍ଭ ହୋଇଥିଲା। ଦେଶ ସ୍ବାଧୀନ ହେବାବେଳକୁ ୧୧ଟି ରେଡିଓ ଷ୍ଟେଶନ କାମ କରୁଥିଲା। ଏନଏଚ୍‌କେ ଜାପାନର ପ୍ରତିନିଧି ମିତ୍ତଲ୍‌ କହିଲେ, ରେଡିଓର କ୍ରେଜ୍‌ ସ୍ବତନ୍ତ୍ର। ଯେଉଁଠି ଟିଭି, ଇଣ୍ଟରନେଟ୍‌ ପହଞ୍ଚତ୍ପାରୁନି ସେଠାରେ ରେଡିଓ ହିଁ ଏକମାତ୍ର ବିକଳ୍ପ। ବିଶିଷ୍ଟ ଉଦ୍‌ଘୋଷକ ସିଂ କହିଲେ, ରେଡିଓ ପାଇଁ ଭଲ ସମୟ ଆସିଛି। ଶ୍ରୋତାଙ୍କ ସଂଖ୍ୟା ବଢ଼ି ଚାଳିଛି। ରେଡିଓ ହେଉଛି ଶିକ୍ଷା, ସଂସ୍କୃତି, ସୂଚନାର ଅନ୍ୟତମ ମାଧ୍ୟମ, ଯାହା ଶ୍ରୋତାଙ୍କୁ ନିଆରା ଯାଦୁରେ ବାନ୍ଧି ରଖିଥାଏ।

SBI_Festive_Digital Billboard