ରାଜଧାନୀରେ ‘ମୋ ସାଇକେଲ’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬/୧୧: ରାଜଧାନୀବାସୀଙ୍କ ଗମନାଗମନ ସୁବିଧା ଓ ସ୍ମାର୍ଟ ସିଟିକୁ ପ୍ରଦୂଷଣ ମୁକ୍ତ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ମୋ ସାଇକେଲ’ ସେବା । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ପବ୍ଲିକ ସାଇକେଲ ସେୟାରିଂ ବ୍ୟବସ୍ଥା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏୟାରପୋର୍ଟ ଛକରୁ ଏହାର ଶୁଭାରମ୍ଭ କରିଛନ୍ତି ।

ସାଧାରଣ ଲୋକଙ୍କୁ ସାଇକେଲ ଯୋଗାଇଦେବା ପାଇଁ ବିଡିଏ ପକ୍ଷରୁ ତିନୋଟି ସାଇକେଲ କମ୍ପାନୀ ସହିତ ଚୁକ୍ତି ସ୍ୱାକ୍ଷର କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୦୦୦ ସାଇକେଲ ଗଡ଼ିଛି । ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୧୦୦୦ଟି ସାଇକେଲ ସେବା ଆରମ୍ଭ ହେବ । ବର୍ତ୍ତମାନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୧୦୦ଟି ସାଇକେଲ ଷ୍ଟାଣ୍ଡ୍‌ କରାଯାଇଥିବାବେଳେ ଆଗକୁ ଏହାକୁ ୪୦୦କୁ ବୃଦ୍ଧି କରାଯିବ ବୋଲି ସୂଚନା ଦିଆଯାଇଛି । ସାଇକେଲ ଗୁଡ଼ିକରେ ଜିପିଏସ୍ ବ୍ୟବସ୍ଥା ରହିଛି । ଅନ୍‌ଲାଇନରେ ବୁକିଂ ବ୍ୟବସ୍ଥା ମଧ୍ୟ ରହିଛି । ଏଥି ସହିତ ଗୋଟିଏ ସାଇକେଲ ଜଣେ ବ୍ୟକ୍ତି ଗୋଟିଏ ପଏଣ୍ଟରୁ ନେବା ପରେ ସେହି ସାଇକେଲକୁ ଯେ କୌଣସି ସାଇକେଲ ଷ୍ଟାଣ୍ଡରେ ଦେଇପାରିବେ । ସେହିଭଳି ଜଣେ ବ୍ୟକ୍ତି ଶହେ ଟଙ୍କା ଦେଇ ମେମ୍ବର ହେଲେ ଗୋଟିଏ ମାସ ପାଇଁ ୧୫ ଘଣ୍ଟା ସାଇକେଲ ଚଲାଇପାରିବ । ପ୍ରତ୍ୟେକ ଦିନ ଜଣେ ବ୍ୟକ୍ତି ଅଧ ଘଣ୍ଟା ସାଇକେଲ ନେବା ପରେ ଯଦି ଅଧିକ ସମୟ ଚାହାନ୍ତି ତେବେ ପ୍ରତି ଘଣ୍ଟାକୁ ୫ଟଙ୍କା ଅଧିକ ଦେବାକୁ ପଡିବ । ଏହି ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ମନ୍ତ୍ରୀ ନିରଞ୍ଜନ ପୁଜାରୀ ପ୍ରମୁଖ ଉପସ୍ଥିତ ଥିଲେ ।