ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ, ତ୍ରିପୁରାରେ ସର୍ବାଧିକ ୮୧.୮% ଭୋଟ୍‌

0

ନୂଆଦିଲ୍ଲୀ,୧୧/୪: ଦେଶରେ ପରବର୍ତ୍ତୀ ସରକାର କିଏ ଗଢ଼ିବ ସେଥିପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। କେଉଁଠି ହିଂସା ତ ଆଉ କେଉଁଠି ନକ୍ସଲଙ୍କ ହମ୍‌ଲାର ଖବର ଆସି ପହଞ୍ଚିଛି। ସେହିପରି ଇଭିଏମ ତ୍ରୁଟି ସାଙ୍ଗକୁ ଭୋଟର ଲିଷ୍ଟରୁ ଲୋକଙ୍କ ନାଁ ହଟିବା ଅଭିଯୋଗ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍‌ ଶେଷ ହୋଇଛି। ୧୮ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୯୧ଟି ଲୋକସଭା ଆସନରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍‌ ମେସିନ୍‌ରେ ସିଲ୍‌ ହୋଇଯାଇଛି। ଆସନ୍ତା ମେ’ ୨୩ରେ ଇଭିଏମ ମେସିନ୍‌ ଖୋଲିବା ସହ ଫଳାଫଳ ପ୍ରକାଶ ପାଇବ।

ନକ୍ସଲଙ୍କ ନାଲିଆଖି ଓ ବିଚ୍ଛିନ୍ନତାବାଦୀଙ୍କ ଧମକ ସତ୍ତ୍ୱେ ଆଜି ବିପୁଳ ସଂଖ୍ୟାରେ ଲୋକ ଭୋଟ୍‌ ଦେଇ ସେମାନଙ୍କ ଜନ ପ୍ରତିନିଧିଙ୍କୁ ବାଛିଛନ୍ତି। ପ୍ରଥମ ପର୍ଯ୍ୟାୟରେ ତ୍ରିପୁରା ଓ ପଶ୍ଚିମବଙ୍ଗରେ ସର୍ବାଧିକ ଲୋକ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ତ୍ରିପୁରାର ଗୋଟିଏ ଆସନ ପାଇଁ ଆଜି ଭୋଟ୍‌ ହୋଇଥିଲା। ଏଠାରେ ଭୋଟ ହାର ସର୍ବାଧିକ ୮୧.୮% ରହିଛି। ସେହିପରି ପଶ୍ଚିମବଙ୍ଗର ୨ଟି ଲୋକସଭା ଆସନ ପାଇଁ ଭୋଟ ହୋଇଥିଲା। ଏଠାରେ ଭୋଟହାର ୮୧% ରହିଛି।

ନକ୍ସଲଙ୍କ ଧମକ ସତ୍ତ୍ୱେ ଛତିଶଗଡ଼ରେ ୫୬% ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେବଳ ଦାନ୍ତେୱାଡ଼ାରେ ୭୭% ଭୋଟ୍‌ ଗ୍ରହଣ ହୋଇଛି। ଆଣ୍ଡାମାନ ନିକୋବରରେ ୭୦.୬୭%, ଲାକ୍ଷାଦ୍ୱୀପରେ ୬୬%, ତେଲେଙ୍ଗାନାରେ ୬୦%, ଜମ୍ମୁ-କଶ୍ମୀରରେ ୫୪.୪୯%, ଉତ୍ତରାଖଣ୍ଡରେ ୫୭.୮୫%, ଆନ୍ଧ୍ରପ୍ରଦେଶରେ ୬୬%, ସିକ୍କିମରେ ୬୯%, ମିଜୋରାମରେ ୬୬%, ନାଗାଲ୍ୟାଣ୍ଡରେ ୭୮%, ମଣିପୁରରେ ୭୮.୨%, ତ୍ରିପୁରାରେ ୮୧.୮%, ମହାରାଷ୍ଟ୍ରରେ ୫୬%, ମେଘାଳୟରେ ୬୭.୧୬%, ଉତ୍ତର ପ୍ରଦେଶରେ ୬୩.୬୯% ଓ ଆସାମରେ ୬୮% ଭୋଟ୍‌ ଗ୍ରହଣ ହୋଇଛି।

ଆଜି ପ୍ରଥମ ପର୍ଯ୍ୟାୟରେ ୨୦ ରାଜ୍ୟର ୯୧ଟି ଲୋକସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହୋଇଥିଲା। ସେହିପରି ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ବିଧାନସଭା ପାଇଁ ମଧ୍ୟ ଭୋଟ୍‌ ଗ୍ରହଣ ହୋଇଛି। ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମର ସମସ୍ତ ବିଧାନସଭା ସଭା ଆସନ ପାଇଁ ଭୋଟ୍‌ ହୋଇଥିବା ବେଳେ ଓଡ଼ିଶାରେ ୪ ଲୋକସଭା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହୋଇଛି।

Leave A Reply

Your email address will not be published.