ହକି ବିଶ୍ୱକପ : ଦର୍ଶକଙ୍କ ପାଇଁ ୮ଟି ପାର୍କିଙ୍ଗ ସ୍ଥାନ

0

ଭୁବନେଶ୍ୱର, ୨୫/୧୧: ପୁରୁଷ ହକି ବିଶ୍ୱକପ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। ଉଦ୍‌ଘାଟନୀ ଉତ୍ସବ ସମେତ ବିଭିନ୍ନ ମ୍ୟାଚ୍‌ ଦେଖିବା ଲାଗି ଆସିବାକୁ ଥିବା ଦର୍ଶକଙ୍କ ପାଇଁ ସହରରେ ୭ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି। ଚାରିଚକିଆ ଯାନ ନିମନ୍ତେ ୫୦ଟଙ୍କା ଏବଂ ଦୁଇ ଚକିଆ ଯାନ ନିମନ୍ତେ ୨୫ଟଙ୍କା ପାର୍କିଂ ଫି ନିର୍ଦ୍ଧାରଣ କରାଯାଇଛି। ଶାସ୍ତ୍ରିନଗରସ୍ଥିତ ପୁରୁଣା ଏଜି କଲୋନୀ ପଡିଆରେ ଚାରିଚକିଆ ଯାନ ଓ ଏହାର ନିକଟରେ ଥିବା ପଡିଆ, ଗେଟ ନମ୍ବର ୧ ନିକଟ ବେହେରାସାହି ପଡିଆ, ନୟାପଲ୍ଲୀ ରାବଣ ପୋଡି ପଡିଆ, ନୟାପଲ୍ଲୀ ଦୁର୍ଗାପୂଜା ପଡିଆରେ ଦୁଇ ଚକିଆ ଯାନ ପାର୍କିଂ କରାଯିବ। ସେହିପରି ହୋଟେଲ କ୍ରାଉନ ନିକଟ ଇଡ୍‌କଲ୍‌ ପଡିଆରେ ଚାରିଚକିଆ ଯାନ ଏବଂ ନିକୋ ପାର୍କ ରୋଡ୍‌ ଓ ଜନତା ମଇଦାନରେ ଉଭୟ ପ୍ରକାର ଯାନ ପାର୍କିଂ କରିବା ବ୍ୟବସ୍ଥା ହୋଇଛି।

ଖଣ୍ଡଗିରି ପଟୁ ଆସିବାକୁ ଥିବା ଦର୍ଶକ ନୟାପଲ୍ଲୀ ଦୁର୍ଗାପୂଜା ପଡିଆ ଚାରି ଚକିଆ ଏବଂ ଦକ୍ଷିଣପାର୍ଶ୍ୱସ୍ଥ ରାବଣ ପୋଡି ପଡିଆରେ ଦୁଇ ଚକିଆ ଯାନ ପାର୍କିଂ କରିବେ। ନନ୍ଦନକାନନ ପଟୁ ଆସିବାକୁ ଥିବା ବ୍ୟକ୍ତି ଜନତା ମଇଦାନରେ ଗାଡି ପାର୍କିଂ କରିବେ। ସେହିପରି କଟକ ପଟୁ ଆସୁଥିବା ବ୍ୟକ୍ତି ଆଚାର୍ଯ୍ୟ ବିହାର ଡାହାଣ ପାର୍ଶ୍ୱ ସର୍ଭିସ ରୋଡ୍‌ ଦେଇ ସୈନିକ ସ୍କୁଲ ଦେଇ ଜନତା ମଇଦାନରେ ଗାଡି ରଖିବେ। ରାଜଭବନ, ସଚିବାଳୟ ମାର୍ଗ ପଟୁ ଆସିବାକୁ ଥିବା ବ୍ୟକ୍ତି ପୁରୁଣା ଏଜି କଲୋନୀ ଏବଂ ଗେଟ ନମ୍ବର ୧ ନିକଟ ବେହେରାସାହି ପଡିଆରେ ଗାଡ଼ି ରଖିବେ। ବେହେରାସାହି ଛକଠାରୁ ଜୟଦେବ ବିହାର ପର୍ଯ୍ୟନ୍ତ ରାସ୍ତା ବନ୍ଦ କରାଯିବ। ନିକୋପାର୍କ ଏବଂ ଶାସ୍ତ୍ରିନଗର ଛକଠାରେ ଚେକ ପୋଷ୍ଟ କରାଯିବ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

Leave A Reply

Your email address will not be published.