ଭୁବନେଶ୍ୱର,୨୨/୧୧: ଅନୁସୂଚିତ ଜାତିଙ୍କ ପାଇଁ କେନ୍ଦ୍ର ଦେଉଥିବା ଛାତ୍ରବୃତିର ଅନୁପାତକୁ ପରିବର୍ତନ କରିଥିବାରୁ ତାର ପ୍ରତିବାଦରେ ଆସନ୍ତା ୨୪ ତାରିଖ ଦିନ ବିଜେଡ଼ିର ସମ୍ପୃକ୍ତ ଜାତିର ବିଧାୟକ, ବିଧାୟିକା ମାନେ ସକାଳ ୮ଟାରୁ ଏକ ୧୨ ଘଂଟିଆ ଅନଶନ ଧାରଣା ଓ ଧର୍ମଘଟ କରିବେ ଏବଂ ପୁନର୍ବିଚାର ପାଇ ରାଜ୍ୟପାଳଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ । ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି ଯେ, କେନ୍ଦ୍ର ସରକାର ଯଦି ତାଙ୍କ ନିଷ୍ପତିର ପରିବର୍ତନ ନ କରନ୍ତି କିମ୍ବା ପୁନର୍ବିଚାର ନ କରନ୍ତି ଆଗାମୀ ଦିନରେ ରାଜ୍ୟରେ ଧର୍ମଘଟ ଆନ୍ଦୋଳନ କରାଯିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ସଂକଳ୍ପବଦ୍ଧ । ଆଦିବାସୀମାନଙ୍କ ସଂସ୍କୃତିର ସୁରକ୍ଷା ସହିତ ପ୍ରଗତିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ଶିକ୍ଷାର ପ୍ରସାର ପାଇଁ ସାରା ଓଡ଼ିଶାରେ ୭୦୦୦ରୁ ଊଦ୍ଧ୍ୱର୍ ଛାତ୍ରାବାସ ନିର୍ମାଣ ସହିତ ଆନୁସଙ୍ଗିକ ଭିତି ଭୂମିର ବିକାଶ କରାଯାଇଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ କେନ୍ଦ୍ର ଓଡ଼ିଶାର ପ୍ରଗତିରେ ପ୍ରମୁଖ ବାଧକ । ଏହାର ସଦ୍ୟତମ ଉଦାହରଣ ହେଉଛି ରାଜ୍ୟର ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ କେନ୍ଦ୍ରର କୁଠାରାଘାତ ଏବଂ ଧାର୍ଯ୍ୟ ସମୟରେ ଛାତ୍ରବୃତି ନଦେଇ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେବା ।