ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଆରମ୍ଭ

କୋଣାର୍କ,୨/୧୨: ଚନ୍ଦ୍ରଭାଗା ବେଳାଭୂମିରେ ଶନିବାର ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ। ଚନ୍ଦ୍ରଭାଗାର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଆୟୋଜିତ ଏହି ମହୋତ୍ସବକୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଛନ୍ତି। ଓଡ଼ିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିତ୍ବା ପୁରୁଷ ହକି ବିଶ୍ୱକପକୁ ବାଲୁକା କଳାରେ ପ୍ରଦର୍ଶିତ କରିଛନ୍ତି ଦେଶ ବିଦେଶର ବାଲୁକା ଶିଳ୍ପୀ। କେହି କଳିଙ୍ଗ ଷ୍ଟାଡିୟମରେ ହକି ଖେଳର ଦୃଶ୍ୟକୁ ଜୀବନ୍ତ କରିଛନ୍ତି ତ ପୁଣି କେହି ୧୯୭୫ ବିଶ୍ୱକପ ଭାରତୀୟ ଦଳକୁ ବାଲୁକା କଳାରେ ସଜାଇଛନ୍ତି। ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇ ଚକ୍‌ ଦେ ଇଣ୍ଡିଆର ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ଅଧିକାଂଶ ଷ୍ଟଲରେ ମାଇଁ ହାର୍ଟ ବିଟ୍‌ ଫର ହକି ବାଲୁକା କଳା ପ୍ରଦର୍ଶିତ ହେଉଛି।

ହକି ବିଶ୍ୱକପକୁ ନେଇ ବାଲୁକା କଳା ମହୋତ୍ସବର ବ୍ରାଣ୍ଡ ଆମ୍ବାସାଡର ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ପ୍ରମୁଖ ଆକର୍ଷଣ ସାଜିଛି। ଏଥିରେ ହକି ବିଶ୍ୱକପରେ ଭାଗ ନେଇଥିତ୍ବା ୧୬ଟି ଦେଶର ଜାତୀୟ ପତାକା ସହିତ ମାସ୍କଟ ଓଲି ଏବଂ ହକି ବିଶ୍ୱକପ, ହକି ଷ୍ଟିକ୍‌କୁ ଅତି ସୁନ୍ଦର ଭାବେ ସେ ପ୍ରସ୍ତୁତ କରିଛନ୍ତି। ଉଦ୍‌ଘାଟନ ପରେ ଅତିଥିମାନେ ଷ୍ଟଲଗୁଡ଼ିକୁ ବୁଲି ଦେଖିଥିଲେ।