ଭୁବନେଶ୍ଵର,୩୦/୧: କମିଶନରେଟ୍ ପୋଲିସର ସମସ୍ତ ପ୍ରୟାସ ସତ୍ଵେ ବି ଅପରାଧ ଉପରେ ଲାଗି ପାରୁନି ଲଗାମ। କମିବା ପରିବର୍ତ୍ତରେ କଟକ, ଭୁବନେଶ୍ଵରରେ ବଢି ଚାଲିଛି ଅପରାଧ। ଗତ ୩ ବର୍ଷ ତୂଳନାରେ ୨୦୧୮ରେ ଅପରାଧ ହାର ୫ ପ୍ରତିଶ୍ରତି ବୃଦ୍ଧି ଘଟିଛି। ହତ୍ୟା, ଡକାୟତି, ଦୁଷ୍କର୍ମ, ଦୁର୍ଘଟଣା ବୃଦ୍ଧି ପାଇଥିବା ବୁଧବାର ସୂଚନା ଦେଇଛନ୍ତି ପୋଲିସ କମିସନର ସତ୍ୟଜିତ୍ ମହାନ୍ତି। ଏହା ସହିତ ପୁରୁଣା ଫାଇଲ ଖୋଲାଯିବ ବୋଲି ସେ କହିଛନ୍ତି।
ଆଜି ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିସନର ଅପରାଧର ପରିସଂଖ୍ୟାନ ରଖିଛନ୍ତି। ମହାନ୍ତିଙ୍କ ସୂଚନା ମୁତାବକ ରାଜଧାନୀ ଭୁବନେଶ୍ଵର ଓ କଟକରେ ଅପରାଧ ସଂଖ୍ୟା ଅପେକ୍ଷାକୃତ ବୃଦ୍ଧି ଘଟିଛି। ବେକାରୀ ଓ ସହରୀକରଣ ଅପରାଧ ବୃଦ୍ଧିର ମୂଳ କାରଣ ପାଲଟିଛି। ଗତ ତିନି ବର୍ଷ ତୂଳନାରେ ୨୦୧୮ରେ ଅପରାଧ ହାର ୫ ପ୍ରତିଶତ ବୃଦ୍ଧି ଘଟିଛି।
ଚୋରି, ଡକାୟତି ଆମ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି କମିସନର କହିଛନ୍ତି। ତେଣୁ ଅପରାଧୀଙ୍କ ଉପରେ ଲଗାମ ଲଗାଇବା ପାଇଁ ଏବେ ପୋଲିସ ପୁରୁଣା ଫାଇଲ ଖୋଲିବ। ୧୨ ବର୍ଷରେ ହୋଇଥିବା ଅପରାଧର ଫାଇଲ ଘାଣ୍ଟିବ ପୋଲିସ। ଅଭ୍ୟାସଗତ ଅପରାଧୀ, ଚୋରି, ଡକାୟତି ଉପରେ ନଜର ରଖିବା ସହିତ ଅପରାଧୀଙ୍କୁ ଶାସ୍ତି ଦେବା ପାଇଁ ପୋଲିସ ଉଦ୍ୟମ କରିବ ବୋଲି ପୋଲିସ କମିସନର ସତ୍ୟଜିତ ମହାନ୍ତିଙ୍କ ସୂଚନା ଦେଇଛନ୍ତି।