ଅରୁଣାଚଳପ୍ରଦେଶ ଭାରତରେ : ୩୦ ହଜାର ମାନଚିତ୍ର ନଷ୍ଟକଲା ଚାଇନା

ବେଜିଂ,୨୭/୩: ରପ୍ତାନି ପାଇଁ ଚାଇନାରେ ଛପାଯାଇଥିବା ୩୦ ହଜାର ବିଶ୍ୱ ମାନଚିତ୍ରରେ ଅରୁଣାଚଳପ୍ରଦେଶ ଭାରତର ଅଂଶବିଶେଷ ଦର୍ଶାଯାଇଥିବାରୁ ସେଗୁଡ଼ିକୁ ବେଜିଂ କର୍ତ୍ତୃପକ୍ଷ ନଷ୍ଟ କରିଦେଇଛନ୍ତି। ଭାରତର ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳପ୍ରଦେଶକୁ ଦକ୍ଷିଣ ତିବ୍ବତ ବୋଲି ଚାଇନା ଦାବି କରିଆସୁଛି। ଉକ୍ତ ଅଞ୍ଚଳକୁ ଭାରତୀୟ ନେତାଙ୍କ ଗସ୍ତକୁ ମଧ୍ୟ ବେଜିଂ କର୍ତ୍ତୃପକ୍ଷ କ୍ରମାଗତ ଭାବେ ବିରୋଧ କରୁଛନ୍ତି। ତେବେ ଅରୁଣାଚଳପ୍ରଦେଶ ଭାରତର ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାରତ କହିବା ସହିତ ଏହାର ନେତାମାନେ ଦେଶର ଅନ୍ୟ ଭାଗ ଭଳି ଉକ୍ତ ରାଜ୍ୟକୁ ମଧ୍ୟ ଗସ୍ତ କରୁଛନ୍ତି।

ଭାରତ ଓ ଚାଇନା ମଧ୍ୟରେ ରହିଥିବା ୩୪୮୮ କିଲୋମିଟର ବ୍ୟାପୀ ପ୍ରକୃତ ନିୟନ୍ତ୍ରଣ ରେଖାକୁ ନେଇ ବିବାଦ ଲାଗି ରହିଛି। ଏହି ସୀମା ବିବାଦର ସମାଧାନ ଲାଗି ଦୁଇଦେଶ ମଧ୍ୟରେ ୨୧ ଥର ଆଲୋଚନା ହେଲାଣି। କେବଳ ଅରୁଣାଚଳପ୍ରଦେଶ ନୁହେଁ, ତାଇଓ୍ବାନକୁ ମଧ୍ୟ ଚାଇନା ନିଜ ଅଞ୍ଚଳ ବୋଲି ଦାବି କରିଆସୁଛି। ଏପରିକି ବଳପ୍ରୟୋଗ କରି ଏହାକୁ ମୂଳ ଭୂଖଣ୍ଡ ସହ ମିଶାଇ ଦେବାକୁ ବେଜିଂ କହୁଛି। ଛପାଯାଇଥିବା ପାଖାପାଖି ୩୦ ହଜାର ମାନଚିତ୍ରରେ ଅରୁଣାଚଳପ୍ରଦେଶ ଏବଂ ତାଇଓ୍ବାନ ଚାଇନାର ଅଂଶବିଶେଷ ଦର୍ଶାଯାଇ ନ ଥିଲା। ତାଇଓ୍ବାନକୁ ଏକ ସ୍ବତନ୍ତ୍ର ରାଷ୍ଟ୍ର ଦର୍ଶାଯାଇଥିବାବେଳେ ଅରୁଣାଚଳ ପ୍ରଦେଶକୁ ଭାରତୀୟ ରାଜ୍ୟ ଭାବେ ଉଲ୍ଲେଖ କରାଯାଇଥିଲା। ସେଗୁଡିକୁ ଭୁଲ୍‌ ଦର୍ଶାଇ କିଙ୍ଗଦାଓସ୍ଥିତ ସୀମାଶୁଳ୍କ ବିଭାଗ ନଷ୍ଟ କରିଦେଇଛନ୍ତି।