ଇଟ୍ଟାନଗର,୯/୨: ନିର୍ବାଚନକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟ ଗସ୍ତ କରି ଜନତାଙ୍କ ସମ୍ବୋଧିତ କରୁଥିବାର ନଜିର ରହିଛି। ଏହି କ୍ରମରେ ଶନିବାର ଅରୁଣାଚଳ ପ୍ରଦେଶ ଗସ୍ତରେ ଯାଇ ୪୦୦୦କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ହୋଲିଙ୍ଗିଠାରେ ଗ୍ରୀନଫିଲ୍ଡ ବିମାନବନ୍ଦରର ଶିଳାନ୍ୟାସ କରିବା ସହ ଲୋହିତ ଜିଲାର ତେଜୁରେ ଏକ ପୁନଃସଂଯୋଜିତ ବିମାନବନ୍ଦର ଉଦଘାଟନ କରିଛନ୍ତି। ଏହାସହ ଅରୁଣାଚଳ ପ୍ରଦେଶ ଲାଗି ଉଦ୍ଦିଷ୍ଟ ଦୁରଦର୍ଶନ ଚ୍ୟାନେଲ ଅରୁଣପ୍ରଭାକୁ ମଧ୍ୟ ମୋଦି ଉଦଘାଟନ କରିଛନ୍ତି। ଏହି ଅବସରରେ ମୋଦି କହିଛନ୍ତି, ଅରୁଣାଚଳ ପ୍ରଦେଶରେ ସୂର୍ଯ୍ୟ ଉଦୟ ହୋଇସାରିଛି। ଏହି ରାଜ୍ୟ ବିକାଶ ପାଇଁ ସରକାର ସବୁପ୍ରକାର ଉଦ୍ୟମ ଚଳାଇଛନ୍ତି ବୋଲି ସେ କହିଛନ୍ତି। ଫିଲ୍ମ ଆଣ୍ଡ୍ ଫିଲ୍ମ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଏକ ସ୍ଥାୟୀ କ୍ୟାମ୍ପସ୍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୋଦି। ଆଇଜି ପାର୍କରେ ଆୟୋଜିତ ଏକ ସମାରୋହରେ ରିମୋଟ୍ ଜରିଆରେ ୫୦ଟି ସ୍ବାସ୍ଥ୍ୟ ଏବଂ ଜନକଲ୍ୟାଣ କେନ୍ଦ୍ର ଉଦଘାଟନ ମଧ୍ୟ କରିଛନ୍ତି।