ଅହମ୍ମଦାବାଦ୍‌ରେ ହେବ ପୃଥିବୀର ସର୍ବ ବୃହତ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌

ଅହମ୍ମଦାବାଦ୍‌,୯/୧: ଗୁଜରାଟ ଅହମ୍ମଦାବାଦରେ ପୃଥିବୀର ସର୍ବ ବୃହତ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ ପୁନର୍ନିର୍ମାଣ କରାଯାଉଛି। ଏହା ମେଲବୋର୍ନ ଷ୍ଟାଡିୟମ୍‌ଠାରୁ ମଧ୍ୟ ବୃହତ୍‌ ହେବ ବୋଲି କୁହାଯାଉଛି। ମୋଟେରା ଷ୍ଟାଡିୟମ୍‌ର ନିର୍ମାଣ ୧୯୮୨ ଠାରୁ ଆରମ୍ଭ ହୋଇଥିଲା। ଏଥିରେ ୪୯ ହଜାର ଦର୍ଶକ ବସି ଖେଳ ଦେଖିବାର ସୁବିଧା ଥିବାବେଳେ ଏଠାରେ ୨୦୧୧ ଡିସେମ୍ବର ପର୍ଯ୍ୟନ୍ତ ୨୩ଟି ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ ଖେଳାଯାଇଛି। ପରେ ଏହାର ପୁନର୍ନିର୍ମାଣ ଆରମ୍ଭ ହୋଇଥିଲା। ଏ ସମ୍ପର୍କରେ ଗୁଜରାଟ କ୍ରିକେଟ୍‌ ଆସୋସିଏସନ୍‌ ଉପସଭାପତି ପରିମଲ ନାଥଓ୍ବାନୀ ଟୁଇଟ୍‌ କରି ଜଣାଇଛନ୍ତି। ସମ୍ପ୍ରତି ଅଷ୍ଟ୍ରେଲିଆର ମେଲବୋର୍ନ ଷ୍ଟାଡିୟମ୍‌ରେ ୯୦ ହଜାର ଦର୍ଶକ ବସି ଖେଳ ଦେଖିପାରୁଛନ୍ତି। ତେବେ ମୋଟେରା ଷ୍ଟାଡିୟମ୍‌ର ପୁନନିର୍ମାଣ ଶେଷ ପରେ ଏଠାରେ ଏହାଠାରୁ ଅଧିକ ଦର୍ଶକ ବସିବାର କ୍ଷମତା ରହିବ। ସୂଚନାଯୋଗ୍ୟ, ମେଲବୋର୍ନ ଷ୍ଟାଡିୟମ୍‌ ୧୮୫୩ରେ ନିର୍ମିତ ହୋଇଥିଲା।