ଆକ୍ସନ ମୋଡରେ କଂଗ୍ରେସ, ବିଧାୟକ ଯୋଗେଶ ସିଂହ ଦଳରୁ ସସପେଣ୍ଡ୍

ଭୁବନେଶ୍ଵର,୧୭/୧: ବିଧାୟକ ନବ ଦାସ ଗତକାଲି ଦଳରୁ ଇସ୍ତଫା ଦେବା ପରେ ରାଜ୍ୟ କଂଗ୍ରେସ ଆକ୍ସନ ମୋଡରେ ନଜର ଆସିଛି । ଗତକାଲି ଇସ୍ତଫା ପରେ ନବଙ୍କୁ ଦଳରୁ ବହିଷ୍କାର କରିବା ପରେ ଦଳ ଆଜି ଯୋଗେଶ ସିଂହଙ୍କୁ ସସପେଣ୍ଡ କରିଛି। ଏଆଇସିସିର ଅନୁମୋଦନ କ୍ରମେ ଦଳ ବିରୋଧୀ ମନ୍ତବ୍ୟ ପାଇଁ ସୁନ୍ଦରଗଡର ବିଧାୟକ ଯୋଗେଶଙ୍କୁ ଦଳ ସସପେଣ୍ଡ କରିଥିବା ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ ସୂଚନା ଦେଇଛନ୍ତି। ଦଳ ଏହି କାର୍ଯ୍ୟାନୁଷ୍ଠାନ ସଙ୍କେତ ଦେଇଛି ଯେ ଦଳ ଆଉ ଏମିତି ନେତାଙ୍କୁ ବରଖାସ୍ତ କରିବ ନାହିଁ ଯେଉଁମାନେ ଦଳ ବିରୋଧୀ ମନ୍ତବ୍ୟ ଦେଉଛନ୍ତି ଏବଂ ଦଳ ଛାଡିବାକୁ ମନସ୍ଥ କରୁଛନ୍ତି। ରାହୁଲଙ୍କ ଗସ୍ତ ପୂର୍ବରୁ ନବ ଦାସ ଦଳ ଛାଡିବା ଏବଂ ଏବେ ଯୋଗେଶଙ୍କୁ ସସପେଣ୍ଡ କରିବା ରାଜ୍ୟ କଂଗ୍ରେସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।

ଉଲ୍ଲେଖଯୋଗ୍ୟ ବିଧାୟକ ଯୋଗେଶ ସିଂହ ପୂର୍ବରୁ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ ଏବଂ ଦଳ ବିରୋଧୀ ମନ୍ତବ୍ୟ ଦେଇଥିଲେ। ଏହା ସହିତ ରାହୁଲଙ୍କ ଓଡ଼ିଶା ଗସ୍ତ ସମୟରେ ଆୟୋଜିତ ସଭାରେ ଯୋଗ ଦେବାକୁ ମନା କରି ଦେଇଥିଲେ। ଏହାକୁ ନେଇ ଦଳରେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯୋଗେଶଙ୍କୁ ଦଳରୁ ସସପେଣ୍ଡ କଲେ ମଧ୍ୟ ଦଳର ଆଭ୍ୟନ୍ତରୀଣ ସ୍ଥିତି ଭଲ ନାହିଁ।

ଯୋଗେଶଙ୍କୁ ସସପେଣ୍ଡ ନେଇ ଅନନ୍ତ ସେଠୀ କହିଛନ୍ତି ଯେ ସେ କ୍ରମାଗତ ଦଳ ବିରୋଧୀ ମନ୍ତବ୍ୟ ଦେଇ ଚାଲିଥିଲେ। ଯାହା ଦଳର ଭାବମୂର୍ତ୍ତିକୁ ନଷ୍ଟ କରୁଥିଲା। ଏ ସଂପର୍କରେ କାଲି ଶୃଙ୍ଖଳା କମିଟି ବୈଠକ ବସିଥିଲା। ୨୪ ଘଣ୍ଟା ମଧ୍ୟରେ ଉତ୍ତର ଦେବାକୁ ତାଙ୍କୁ କୁହାଯାଇଥିଲା। ମାତ୍ର ୨୪ ଘଣ୍ଟା ମଧ୍ୟରେ ତାଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନଥିଲା। ତେଣୁ ଆଜି ଏଆଇସିସିର ଅନୁମୋଦନ କ୍ରମେ ଯୋଗେଶ ସିଂହଙ୍କୁ ଦଳରୁ ସସପେଣ୍ଡ କରାଯାଇଛି।

SBI AD