ଭୁବନେଶ୍ବର: ଦ୍ୱିତୀୟ ଥର ଏଭେରେଷ୍ଟ୍ ଆରୋହଣ ପରେ ଶିଖର ଦେଶରେ ପ୍ରାଣ ହରାଇଥିବା ରାଜ୍ୟର ସର୍ବପ୍ରଥମ ଏଭରେଷ୍ଟର୍ କଳ୍ପନା ଦାଶଙ୍କ ପାର୍ଥିବ ଶରୀର ଆସନ୍ତାକାଲି ଭୁବନେଶ୍ବର ପହଞ୍ଚିବ। ସକାଳ ୭ଟା ସମୟରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ତାଙ୍କ ମୃତଦେହ ପହଞ୍ଚିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ କଳ୍ପନାଙ୍କ ମରଶରୀରରକୁ ରଖାଯିବ।
ଉଦ୍ଧାରକାରୀ ସେର୍ପା ଦଳ ପାର୍ଥିବ ଶରୀରକୁ ଲୁକଲା ଆଣିବା ପରେ ଗୁରୁବାର ବିମାନରେ ଏହାକୁ କାଠମାଣ୍ଡୁ ଅଣାଯାଇଥିଲା। ଶୁକ୍ରବାର ଶବ ବ୍ୟବଚ୍ଛେଦ କରାଯିବା ସହିତ ପୋଲିସ୍ ରିପୋର୍ଟ, ମୃତ ପ୍ରମାଣପତ୍ର, ଇମର୍ଜିଂ ସାର୍ଟିଫିକେଟ, କାର୍ଗୋ ବୁକିଂ ଆଦି ଔପଚାରିକତା ସମ୍ପନ୍ନ ହୋଇଛି। ଏହି ଦଳରେ କଳ୍ପନାଙ୍କ ଭାଇ ପ୍ରଦୀପ ଦାସ ମଧ୍ୟ ସାମିଲ ଅଛନ୍ତି। ଗତ ମେ’ ୨୩ ତାରିଖରେ କଳ୍ପନା ଶାଢ଼ୀ ପରିଧାନ କରି ଏଭରେଷ୍ଟ ଶିଖର ଛୁଇଁ ବିରଳ କୀର୍ତିମାନ କରିବାର କିଛି ଘଣ୍ଟା ପରେ ବାଲକୋନି ଅଞ୍ଚଳରେ ପ୍ରାଣ ହରାଇଥିଲେ। ଏଭରେଷ୍ଟ୍ରେ ଚଳିତ ବର୍ଷ ଟ୍ରାଫିକ୍ ଜାମ ହେବାରୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା ମୃତ୍ୟୁର ଅନ୍ୟତମ କାରଣ ବୋଲି କୁହାଯାଉଥିଲେ ମଧ୍ୟ ୫୩ ବର୍ଷୀୟା କଳ୍ପନାଙ୍କ ମୃତ୍ୟୁ ଉପରୁ ସମ୍ପୂର୍ଣ୍ଣ ପରଦା ଉଠିନାହିଁ। ୨୦୦୮ ମସିହାରେ ସେ ପ୍ରଥମ ଥର ପାଇଁ ଏଭେରେଷ୍ଟ ଆରୋହଣ କରି ଓଡ଼ିଶା ଇତିହାସରେ ନୂଆ ଫର୍ଦ ଯୋଡ଼ିଥିଲେ।
