ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ : ତମାଖୁ ସେବନରେ ଓଡ଼ିଶା ଭାରତରେ ଦ୍ୱିତୀୟ

ପୁରୀ,୧/୬ : ଆଜି ପାଳନ ହୋଇଛି ବିଶ୍ୱ ତମାଖୁ ବର୍ଜନ ଦିବସ। ବିଶ୍ୱ ସ୍ତରରେ ତମାଖୁ ସେବନକୁ ନେଇ ଚିନ୍ତାଜନକ ସ୍ଥିତି ଉପୁଜିଛି। ସମଗ୍ର ବିଶ୍ବରେ ବର୍ଷକୁ ୭୦ ଲକ୍ଷ ଲୋକ ତମାଖୁ ସେବନ ଜନିତ କାରଣରୁ ପ୍ରାଣ ହରାଉଛନ୍ତି। କେବଳ ଭାରତରେ ଏହି ସଂଖ୍ୟା ୧୩ ଲକ୍ଷ। ସବୁଠୁ ଉଦ୍‌ବେଗଜନକ କଥା ହେଲା, ମୁଖ ଗହ୍ବର କର୍କଟ ବା ଓରାଲ୍‌ କ୍ୟାନସର୍‌ରେ ଭାରତ ବିଶ୍ବରେ ପ୍ରଥମ ସ୍ଥାନରେ ରହିଛି। ଏହି ଅଲୋଡା ରେକର୍ଡ ସାଉଁଟିବାରେ ଓଡ଼ିଶା ବି ପଛରେ ପଡିନି। ରାଜ୍ୟରେ ବର୍ଷକୁ ୧ ଲକ୍ଷ ୨୦ ହଜାର ଲୋକ ତମାଖୁ ସେବନ କାରଣରୁ ମୃତ୍ୟୁମୁଖରେ ପଡୁଛନ୍ତି।

ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ଏକ ସର୍ଭେ ମୁତାବକ, ସମଗ୍ର ଦେଶରେ ମୁଖ ଗହ୍ବର କର୍କଟ ‌ରୋଗୀଙ୍କ ମଧ୍ୟରେ ଓଡ଼ିଶାର ହାର ଜାତୀୟ ହାର ସହିତ ପ୍ରାୟ ସମାନ। କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସାଳୟକୁ ଆସୁଥିବା ମୋଟ ରୋଗୀଙ୍କ ମଧ୍ୟରୁ ୪୦ ପ୍ରତିଶତ ରୋଗୀ କେବଳ ତମାଖୁ ସେବନଜନିତ କାରଣରୁ ପୀଡ଼ିତ ହୋଇଥିବା ବେଳେ ତନ୍ମଧ୍ୟରୁ ୫ରୁ ୧୦ ପ୍ରତିଶତ ରୋଗୀ ମୃତ୍ୟୁମୁଖରେ ପଡୁଛନ୍ତି। ଓଡ଼ିଶାରେ ୪୫.୬ ପ୍ରତିଶତ ଲୋକ ତମାଖୁ (ଗୁଟ୍‌କା) ସେବନ କରୁଛନ୍ତି। ଗୁଟ୍‌କା ବ୍ୟବହାରରେ ଓଡ଼ିଶା ଭାରତରେ ଦ୍ବିତୀୟ ସ୍ଥାନରେ ରହିଛି। ଅବଶ୍ୟ ଧୂମପାନରେ ଓଡ଼ିଶାର ହାର୍‌ କମ (୭ ପ୍ରତିଶତ) ରହିଛି। ୧୫ ପ୍ରତିଶତ ପୁରୁଷ ଓ ୨୫ ପ୍ରତିଶତ ମହିଳାଙ୍କ ଭିତରେ ଦେଖା ଦେଉଥିବା କର୍କଟ ରୋଗ କେବଳ ତମାଖୁଜନିତ ବୋଲି ଜଣାପଡିଛି। ଯକ୍ଷ୍ମା, ଏଚ୍‌ଆଇଭି ଓ ମ୍ୟାଲେରିଆରେ ଯେତିକି ପ୍ରାଣ ହରାଉଛନ୍ତି ତମାଖୁ ସେବନଜନିତ ମୃତ୍ୟୁସଂଖ୍ୟା ତା’ଠାରୁ ଅଧିକ ରହିବା ନିଶ୍ଚିତ ଭାବେ ଚିନ୍ତାଜନକ। ଏହି କାରଣରୁ ତମାଖୁ ସେବନ ନିୟନ୍ତ୍ରଣ ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନ୍‌ ପକ୍ଷରୁ କିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତମାଖୁ ନିୟନ୍ତ୍ରଣ ପାଇଁ ପ୍ରତି ଜିଲ୍ଲାରେ ସ୍ବତନ୍ତ୍ର ବିଭାଗ ଖୋଲାଯିବା ସହ ଜିଲ୍ଲାସ୍ତରରେ ଜଣେ ପରାମର୍ଶଦାତା (କନସଲ୍‌ଟାଣ୍ଟ) ଓ କାଉନ୍‌ସେଲରଙ୍କୁ ନିଯୁକ୍ତି ଦିଆଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲାମାନଙ୍କୁ ବର୍ଷକୁ ୧୦ରୁ ୧୫ ଲକ୍ଷ ଟଙ୍କା ପାଣ୍ଠି ଦିଆଯାଉଛି।

SBI_Festive_Digital Billboard