ଗଜପତି,୨୮/୧: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତରବା କନ୍ୟାଶ୍ରମ ହଷ୍ଟେଲରୁ ନିଖୋଜ ଥିବା ଛାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି । ସ୍କୁଲ କର୍ତୃପକ୍ଷଙ୍କ ସହ ଜିଲ୍ଲା ପ୍ରଶାସନ , ଏସପି , ଜିଲ୍ଲାପାଳ ଓ ପୋଲିସ ପ୍ରଶାସନ ଦ୍ୱାରା ନାବାଳିକାମାନଙ୍କୁ ଚନ୍ଦ୍ରଗିରିର ବୁଦ୍ଧମନ୍ଦିର ନିକଟରେ ଥିବା ଏକ ଜଙ୍ଗଲର କୁଡିଆରୁ ଉଦ୍ଧାର କରାଯାଇଛି । ଉଦ୍ଧାର ଛାତ୍ରୀମାନଙ୍କୁ ପ୍ରଥମେ ଚନ୍ଦ୍ରଗିରି ବାଳିକା ବିଦ୍ୟାଲୟରେ ରଖିବା ପରେ କନ୍ୟାଶ୍ରମକୁ ଫେରାଇ ଅଣାଯାଇଥିଲା ।
ଗତ ଶନିବାର ବିଳମ୍ବିତ ରାତିରେ ଏହି କନ୍ୟାଶ୍ରମର ୨୯ ଜଣ ଛାତ୍ରୀ ହଷ୍ଟେଲ ଛାଡି ଚାଲିଯାଇଥିଲେ । ସ୍କୁଲ କର୍ତୃପକ୍ଷଙ୍କ ସହ ଜିଲ୍ଲା ପ୍ରଶାସନ , ଏସପି , ଜିଲ୍ଲାପାଳ ଓ ପୋଲିସ ପ୍ରଶାସନ ନାବାଳିକାଙ୍କୁ ଖୋଜିବା ପରେ ଜଙ୍ଗଲରେ ଥିବା ଏକ କୁଡିଆରୁ ସେମାନଙ୍କୁ ଉଦ୍ଧାର କରିଥିଲା । ଫୋନ ଟ୍ରାକିଂ କରି ସେମାନଙ୍କୁ ଉଦ୍ଧାର କରାଯାଇଥିଲା ।
ତେବେ ସୂଚନାନୁସାରେ, ସ୍କୁଲର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ସମନ୍ୱୟ ନଥିବା ଜଣାପଡିଛି । ଗତ ୨୬ ଜାନୁଆରୀରେ କନ୍ୟାଶ୍ରମର ଛାତ୍ରୀମାନଙ୍କ ଦ୍ୱାରା ହୋଇଥିବା ପ୍ରଭାତଫେରୀ ଓ ପତାକା ଉତୋଳନରେ ପ୍ରଧାନ ଶିକ୍ଷକ ଯୋଗ ଦେଇଥିବାବେଳେ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ଯୋଗ ଦେଇ ନଥିବା ସେମାନେ ଅଭିଯୋଗ କରିଛନ୍ତି । ଶନିବାର ଦିନ ସଂଧ୍ୟାରେ ଆଲୋଚନା କରିବା ପରେ ସେମାନେ ହଷ୍ଟେଲ ଛାଡିଥିଲେ । ଉଦ୍ଧାର ହୋଇଥିବା ଛାତ୍ରୀମାନଙ୍କୁ ପଚରାଉଚରା କରିବା ପରେ ଦୋଷୀ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରିଷ୍ଠ ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି ।