ପ୍ରୟାଗରାଜ,୧୪/୧: ଉତ୍ତର ପ୍ରଦେଶର ‘ପ୍ରୟାଗରାଜ’ ଠାରେ ମଙ୍ଗଳବାର ଠାରୁ କୁମ୍ଭମେଳା ଆରମ୍ଭ ହେଉଛି। ଦୀର୍ଘ ୨ ମାସ ଧରି ଚାଲିବାକୁ ଥିବା ଏହି ମେଳାରେ ପାଖାପାଖି ୧୨ କୋଟି ଶ୍ରଦ୍ଧାଳୁଙ୍କ ସମାବେଶ ହେବ। ଉତ୍ତର ପ୍ରଦେଶ ସରକାର ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଆଗାମୀ ମାର୍ଚ୍ଚ ୧୪ ଯାଏଁ ଚାଲିବାକୁ ଥିବା ଏହି ମେଳାର ବିଭିନ୍ନ ସମୟରେ ଶ୍ରଦ୍ଧାଳୁମାନେ ପବିତ୍ର ଗଙ୍ଗା ନଦୀରେ ବୁଡ଼ ପକାଇବେ। କୁମ୍ଭମେଳାରେ ଲକ୍ଷାଧିକ ନାଗା ସାଧୁ ଏକତ୍ର ହେବେ। ଜାନୁଆରୀ ୧୫ରେ ପ୍ରଥମ ବୁଡ଼ ହେବ।
କୁମ୍ଭସ୍ଥଳରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରି ଦିଆଯାଇଛି। ପ୍ରୟାଗରାଜ ଠାରେ ପ୍ରତି ୬ ବର୍ଷରେ କୁମ୍ଭମେଳା ଓ ପ୍ରତି ୧୨ ବର୍ଷରେ ମହାକୁମ୍ଭମେଳା ଆୟୋଜନ ହୋଇଥାଏ। ଚଳିତ ବର୍ଷ ଉତ୍ତରପ୍ରଦଶେ ସରକାର ଅର୍ଦ୍ଧକୁମ୍ଭ ମେଳାକୁ ‘କୁମ୍ଭ’ ଓ କୁମ୍ଭକୁ ‘ମହାକୁମ୍ଭ’ ବୋଲି ଘୋଷଣା କରିଛନ୍ତି। ହିନ୍ଦୁ ଜ୍ୟେର୍ତିବିଦଙ୍କ ଦ୍ୱାରା ପ୍ରକୃତ କୁମ୍ଭମେଳା ନିର୍ଦ୍ଧାରଣ ହୋଇଥାଏ।
ପ୍ରୟାଗରାଜ ଜିଲ୍ଲା ପ୍ରଶାସନ ଦ୍ୱାଦଶ ଶ୍ରେଣୀ ଯାଏଁ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଜାନୁଆରୀ ୧୪ ରୁ ୧୬ ଯାଏଁ ବନ୍ଦ ରଖିଛନ୍ତି। ସହର ଭିତରକୁ ସମସ୍ତ ବସ ଗୁଡ଼ିକର ଯାତାୟତ ଉପରେ କଟକଣା ଲଗାଯଶଇଛି। କୁମ୍ଭମେଳା ସମୟରେ ଶ୍ରଦ୍ଧାଳୁଙ୍କୁ ନେବା-ଆଣିବା ପାଇଁ ୬୦୦୦ ବସ ଯାତାୟତ କରିବ। ସେହିଭଳି ଦେଶର ବିଭିନ୍ନ ପ୍ରାନ୍ତରୁ ଟ୍ରେନ ଚଳାଚଳ କରିବ। କୁମ୍ଭମେଳାକୁ ଦେଶର ୧୦ଟି ସହରରୁ ବିମାନ ଯୋଡ଼ିବ। ନୂଆଦିଲ୍ଲୀ, କୋଲକାତା, ନାଗପୁର, ଭୋପାଳ, ଡେରାଡୁନ, ଇନ୍ଦୋର, ବେଙ୍ଗାଲୁରୁ, ଅହମଦାବାଦ ଓ ଲକ୍ଷ୍ନୌରୁ ପ୍ରୟାଗରାଜକୁ ବିମାନ ସେବା ମିଳି ପାରିବ। କୁମ୍ଭମେଳା ୩୨୦୦ ହେକ୍ଟର ଜମିରେ ଆୟୋଜନ ହେଉଛି।