ଆସନ୍ତାକାଲି ଦିଲ୍ଲୀରେ ବିଜୁ କୃଷକ ମୋର୍ଚ୍ଚାର ମହା ସମାବେଶ

ଭୁବନେଶ୍ୱର, ୭/୧: ଆସନ୍ତାକାଲି ନୂଆଦିଲ୍ଲୀରେ ଆୟୋଜନ ହେବ ବିଜୁ କୃଷକ ଜନତା ଦଳର ମହା ଆନ୍ଦୋଳନ । ଯେଉଁଠି ଚାଷୀ ନିଜର ହକ୍‌ ମାଗିବେ । ଏହି ଆନ୍ଦୋଳନରେ ସାମିଲ ହେବାକୁ ଆଜି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ସୋମବାର ପୂର୍ବାହ୍ନରେ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଆସନ୍ତାକାଲି ଦିଲ୍ଲୀ ସ୍ଥିତ ତାଲକୋଟ୍ରା ଷ୍ଟାଡିୟମ୍ ଠାରେ ବିଜେଡି ପକ୍ଷରୁ ଆୟୋଜିତ ହେବାକୁ ଥିବା ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଅନ୍ୟାନ୍ୟ ମନ୍ତ୍ରୀମାନେ ମଧ୍ୟ ଦିଲ୍ଲୀ ଯାଇଛନ୍ତି । ସମାବେଶ ପରେ ଅପରାହ୍ନ ୫ ଟା ୪୫ ରେ ରାଷ୍ଟ୍ରପତିଙ୍କୁ ମୁଖ୍ୟମନ୍ତ୍ରୀ ଚାଷୀ ଅଧିକାର ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିବେ । ମଙ୍ଗଳବାର ରାତି ୯ଟା ୨୦ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବେ ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା କରିବା ଓ ସ୍ୱାମୀ ନାଥକନ କମିଟି ସୁପାରିଶକୁ ଲାଗୁ କରିବାକୁ ନେଇ ବିଜେଡ଼ି କେନ୍ଦ୍ର ସରକାର ନିକଟରେ ଦାବି କରୁଛି । ଯାହାକୁ ନେଇ ଆସନ୍ତାକାଲି ଆନ୍ଦୋଳନକୁ ଓହ୍ଲାଇବ ବିଜେଡ଼ି । ଏଥିରେ କୋଣ ଅନୁକୋଣରୁ ଚାଷୀ ପ୍ରତିନିଧି ସାମିଲ ହେବାକ ସ୍ୱତନ୍ତ୍ର ଟ୍ରେନ୍‌ରେ ଦିଲ୍ଲୀ ଯାଇଛନ୍ତି । ସେପଟେ ତାଲକୋଟ୍ରା ଷ୍ଟାଡିୟମ୍‌ରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି ।