ନୂଆଦିଲ୍ଲୀ,୨୩/୪: ଦେଶରେ ମହାମାରୀ କରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗୁଚି । ଏହାକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଲକ୍ ଡାଉନ୍ ଜାରି ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୪ ଏପ୍ରିଲ ଅର୍ଥାତ୍ ଶୁକ୍ରବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ସମସ୍ତ ସରପଞ୍ଚଙ୍କ ସହ କଥା ହେବେ।
ପ୍ରତିବର୍ଷ ଏପ୍ରିଲ ୨୪କୁ ଜାତୀୟ ପଞ୍ଚାୟତରାଜ ଦିବସ ଭାବେ ପାଳନ କରାଯାଏ। ପ୍ରଧାନମନ୍ତ୍ରୀ ମୋଦୀ ଏପ୍ରିଲ ୨୪ରେ ଇ-ଗ୍ରାମ ସ୍ୱରାଜ ପୋର୍ଟାଲ(e-Gram Swaraj Portal)ଏବଂ ମୋବାଇଲ ଆପ୍ର ଶୁଭାରମ୍ଭ କରିବେ। ଏହି ଲକ୍ ଡାଉନ୍ ସମୟରେ ପ୍ରଧାନମନ୍ତ୍ରୀ ଗ୍ରାମ ପଞ୍ଚାୟତକୁ ସମ୍ବୋଧିତ କରିବେ।
ଇ-ଗ୍ରାମ ସ୍ୱରାଜ ପୋର୍ଟାଲ ପଞ୍ଚାୟତିରାଜ ମନ୍ତ୍ରଣାଳୟର ଏକ ସ୍ବତନ୍ତ୍ର ପଦକ୍ଷେପ। ଯେଉଁଥିରେ ଗ୍ରାମ ପଞ୍ଚାୟତର ବିକାଶ ଯୋଜନା ପ୍ରସ୍ତୁତ ହେବ ଏବଂ କାର୍ଯ୍ୟକାରୀ କରିବା ପାଇଁ ଗ୍ରାମ ପଞ୍ଚାୟତ ସୁଯୋଗ ପାଇବେ।
ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଏପ୍ରିଲ ୨୭ ରେ ଭିଡିଓ କନଫରେନ୍ସିଂ ଜରିଆରେ ପୁଣିଥରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ମୁକାବିଲା ନେଇ ଆଲୋଚନା କରିବେ । ଏହି ବୈଠକରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।