ଆସନ୍ତା ୨୮ରୁ ଜାତୀୟ ତୋଷାଳି ମେଳା

ଭୁବନେଶ୍ୱର ,୨୭/୧୨ : ଆସନ୍ତା ୨୮ତାରିଖରୁ ଜନତା ମଇଦାନରେ ଆରମ୍ଭ ହେବ ୧୩ତମ ଜାତୀୟ ତୋଷାଳି କ୍ରାଫ୍‌ଟସ ମେଳା। ୧୭ଦିନ ଧରି ହେବାକୁ ଥିବା ଏହି ମେଳାରେ ୩୮୦ଟି ଷ୍ଟଲ ଖୋଲିବ। ଓଡ଼ିଶା ସମେତ ୨୫ଟି ରାଜ୍ୟର ୩୫୦ରୁ ଅଧିକ କାରିଗର ଓ ବୁଣାକାର ଏଥିରେ ଅଂଶଗ୍ରହଣ କରିବେ। ଚଳିତବର୍ଷ ‘ତନ୍ତୁକୃତି’ ପରିକଳ୍ପନା ଆଧାରରେ ଥିମ୍ ପ୍ୟାଭିଲିୟନ୍ ଓ ସମଗ୍ର ମେଳା ସଜେଇ ହେବ। ଏଥର ସମୁଦାୟ ୨୨କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ରଖାଯାଇଥିବା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ କୁହାଯାଇଛି।

ଆଜି ଲୋକସଂପର୍କ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ସଚିବ ଶୁଭା ଶର୍ମା କହିଲେ, ରାଜ୍ୟରେ ଉତ୍ପାଦିତ ସାମଗ୍ରୀ ଗୋଟିଏ ସ୍ଥାନରେ ଉପଲବ୍ଧ ହେବା ସହିତ କାରିଗର ଓ ବୁଣାକାରଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ, ବଜାର ଓ ଐତିହ୍ୟକୁ ପ୍ରଦର୍ଶିତ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଖୋଲିବାକୁ ଥିବା ୩୮୦ଟି ଷ୍ଟଲ ମଧ୍ୟରୁ ୨୦୦ଟି ହସ୍ତଶିଳ୍ପ, ୧୩୦ଟି ହସ୍ତତନ୍ତ, ୩୦ଟି ଫୁଡ କୋର୍ଟ, ଏନ୍‌ଆଇଏଫ୍‌ଟି, ଆଆଇଟି ଚୌଦ୍ବାର, ଆଇଏଚ୍‌ଟି ବରଗଡ଼/ସିଡାକ୍ ସମେତ ୧୨ଟି ଶିକ୍ଷାନୁଷ୍ଠାନ ଷ୍ଟଲ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ପର୍ଯ୍ୟଟନ ବିଭାଗ, ଜାତୀୟ ହସ୍ତତନ୍ତ ବିକାଶ ନିଗମ ଭାଗ ନେବ। ସିଡାକ ପକ୍ଷରୁ ରାଜ୍ୟର ପ୍ରସିଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ଲାଇଭ ଡେମୋନଷ୍ଟ୍ରେସନ୍ କରାଯିବ। କେନ୍ଦ୍ର ହସ୍ତତନ୍ତ ଉନ୍ନୟନ କମିସନରଙ୍କ ଦ୍ବାରା ପ୍ରଯୋଜିତ ୫୦ଜଣ ବୁଣାକାର, ରାଜ୍ୟରୁ ୨୩୦ ବୁଣାକାର ଓ କାରିଗର ସାମିଲ ହେବେ। ପ୍ରତ୍ୟେକ ଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଫୁଡକୋର୍ଟରେ ନାମୀ ହୋଟେଲ ନିଜର ଷ୍ଟଲ ଖୋଲିବେ। ଏଥିରେ ଓଡ଼ିଆ ଖାଦ୍ୟ ସହିତ ଜାତୀୟ ଓ ଅନ୍ତର୍ଜାତୀୟ ଖାଦ୍ୟ ଉପଲବ୍ଧ ହେବ।