ଆସୁଛି ୨ଟି ଲଘୁଚାପ : କାଲିଠାରୁ ୭ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୭/୮: ଆସନ୍ତା ୨୮ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିସହିତ ଆସନ୍ତା ୨ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ତେବେ ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ସେତେ ପରିମାଣର ବର୍ଷା ହେବାର ସମ୍ଭାବନା ନାହିଁ। ଚାଇନା ସମୁଦ୍ରରେ ସୃଷ୍ଟି ହେଉଥିବା ବାତ୍ୟା ଯୋଗୁ ଲଘୁଚାପ ଦୁର୍ବଳ ହେବା ସମ୍ଭାବନା ରହିଛି। ତେବେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲାର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ଆସନ୍ତା ସେପ୍ଟେମ୍ବର ୨ ତାରିଖ ଯାଏ ରାଜ୍ୟର ବିଭିନ୍ନ ଭାଗରେ ବର୍ଷା ଲାଗି ରହିବ।

ଓଡିଶା ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ବରଗଡ, ବଲାଙ୍ଗୀର, ନୂଆପଡା ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ଜିଲାଗୁଡିକ ପାଇଁ ପାଣିପାଗ ବିଭାଗ ଅରେଞ୍ଜ ସତର୍କ ସୂଚନା ଦେଇଛି। ସେହିପରି ମୟୂରଭଞ୍ଜ, ଦେବଗଡ, ଅନୁଗୋଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଜଗତ୍‌ସିଂହପୁର, ପୁରୀ, ବୌଦ୍ଧ, ସୋନପୁର ଏବଂ କଳାହାଣ୍ଡି ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ଏହି ଜିଲାଗୁଡିକ ପାଇଁ ୟେଲୋ ସତର୍କତା ଜାରି କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ଯୋଗୁ ରାଜ୍ୟରେ ଗତ ଦୁଇ ଦିନ ହେବ ବର୍ଷା ହେଉଛି।

SBI_Festive_Digital Billboard