ଆଡ଼ିଲେଡ୍‌ରେ ଇତିହାସ ରଚିଲେ ବିରାଟ ବାହିନୀ

ଆଡିଲେଡ୍‌, ୧୦/୧୨ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଡିଲେଡ୍‌ରେ ଚାଲିଥିବା ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ମୁକାବିଲାରେ ଭାରତ ଦମଦାର ବିଜୟ ହାସଲ କରିଛି । ଭାରତ ପକ୍ଷରୁ ଦିଆଯାଇଥିବା ୩୨୩ ରନର ବିୟଜ ଲକ୍ଷର ଜବାବରେ ଅଷ୍ଟ୍ରେଲିଆ ଟିମ କେବଳ ୨୯୧ ରନ ବନାଇ ଅଲ ଆଉଟ୍‌ ହୋଇଛି । ପ୍ରଥମ ଥର ଲାଗି ଭାରତ ଅଷ୍ଟ୍ରେଲିଆକୁ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ହରାଇ ଇତିହାସ ରଚିଛି । ତେବେ ଏହା ସହିତ ୪ଟି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୧-୦ ରେ ଆଗୁଆ ରହିଛି । ସେହିପରି ପ୍ରଥମ ଇନିଂସ୍‌ରେ ୧୨୩ ରନ୍‌ ଓ ଦ୍ୱିତୀୟ ଇନିଂସ୍‌ରେ ୭୧ ରନ୍‌ କରିଥିବା ଚେତେଶ୍ୱର ପୂଜାରା ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ବିବେଚିତ ହୋଇଛନ୍ତି ।
ଟିମ ଇଣ୍ଡିଆକୁ ଏଡିଲେଡ ଟେଷ୍ଟର ଅନ୍ତିମ ଦିନରେ ବିଜୟ ହାସଲ କରିବାକୁ ୬ଟି ୱିକେଟର ଆବଶ୍ୟକ ରହିଥିବା ବେଳେ ଅଷ୍ଟ୍ରେଲିଆକୁ ୨୧୯ ରନର ଆବଶ୍ୟକତା ଥିଲା । ଅଷ୍ଟ୍ରେଲିଆର ସନ୍‌ ମାର୍ସ ୧୬୬ ବଲ୍‌ ଖେଳି ୬୦ ରନ୍‌ କରିଥିବା ବେଳେ ଭାରତୀୟ ବୋଲରଙ୍କ ସାମ୍ନାରେ କେହି ଅଧିକ ସମୟ ଟିକି ପାରି ନଥିଲେ । ଭାରତ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇନିଂସ ରେ ଭାରତ ୨୫୦ ରନ ଅଧିକାର କରିଥିଲା । ତେବେ ଏହି ରନର ବିୟଜ ଲକ୍ଷରେ ଥିବା ଅଷ୍ଟ୍ରେଲିଆ କେବଳ ୨୩୫ ରନ କରି ଅଲ ଆଉଟ୍‌ ହୋଇଥିଲା । ଏହା ପରେ ୧୫ ରନର ଅଗ୍ରଣୀ ସହ ଭାରତ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା । ଏଥିରେ ଭାରତ ୩୦୭ ରନ ବନାଇ ଅଷ୍ଟ୍ରେଲିଆ ଟିମକୁ ୩୨୩ ରନର ବିଜୟ ଲକ୍ଷ ଦେଇଥିଲା । ନିଜ ଲକ୍ଷକୁ ପିଛା କରି ମଇଦାନରେ ଓହ୍ଲାଇଥିବା ଅଷ୍ଟ୍ରେଲିଆ ସଙ୍ଘର୍ଷ କରିବା ପରେ ମଧ୍ୟ ଅସଫଳ ହୋଇଥିଲା । ୨୯୧ ରନ ବନାଇ ଅଲ ଆଉଟ ହୋଇଥିଲା ।