ଭୁବନେଶ୍ୱର, ୨୦/୧୨: ଓଡିଶା ପ୍ରଶାସନିକ ସେବା ୨୦୧୬-୧୭ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି । ଏଥିରେ ୧୦୬ ଜଣ ଉତିର୍ଣ୍ଣ ହୋଇଛନ୍ତି । ତେବେ ଏଥର ବାଜି ମାରିଛନ୍ତି ଆୟୁଷି ମହାପାତ୍ର । ଆୟୁଷି ପ୍ରଥମସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ସଞ୍ଜିତା ମହାପାତ୍ର, ତୃତୀୟ ସ୍ଥାନ ପୁନମ ମହାପାତ୍ର ଅଧିକାରୀ କରିଛନ୍ତି । କୃତିତ୍ୱ ହାସଲ କରିଥିବା ୧୦୬ ଜଣ ପାର୍ଥୀଙ୍କ ମଧ୍ୟରୁ ୬୪ ଜଣ ପୁରୁଷ ପାର୍ଥୀ ଥିବା ବେଳେ ୪୨ ଜଣ ମହିଳା ପାର୍ଥୀନୀ ରହିଛନ୍ତି । ମନୋନୀତ ପାର୍ଥୀମାନଙ୍କୁ ଓଡ଼ିଶା ସିଭିଲ ସର୍ଭିସର କ୍ୟାଟାଗରି ୧ ଓ ୨ ଗ୍ରେଡରେ ନିଯୁକ୍ତି ପ୍ରଦାନ କାରଯିବ । ପ୍ରାୟ ୭୦ ହଜାର ପାର୍ଥୀ ପ୍ରିଲିମ ପରୀକ୍ଷା ଦେଇଥିଲେ । ଏଥିପାଇଁ ବାଲେଶ୍ୱର, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଓ କଟକରେ ପରୀକ୍ଷାକେନ୍ଦ୍ର ଖୋଲା ଯାଇଥିଲା । ସେଥି ମଧ୍ୟରୁ ୨୪, ୭୦୦ ଜଣ ମୁଖ୍ୟ ପରୀକ୍ଷା ପାଇଁ ମନୋନୀତ ହୋଇଥିଲେ । ଏଥିରେ ୨୧୨ ଜଣ ଉତ୍ତୀର୍ଣ୍ଣ ହୋଇ ସାକ୍ଷାତକାର ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷାରେ ମୋଟ ୧୦୬ ଜଣ କୃତକାର୍ଯ୍ୟ ହୋଇଥିବା ଆୟୋଗ ପକ୍ଷରୁ ପ୍ରକାଶିତ ବଜ୍ଞପ୍ତିରେ ସୂଚନା ଦିଆଯାଇଛି ।