ଇଂଲଣ୍ଡ,୨୯/୬ : ଆସନ୍ତାକାଲି ଇଂଲଣ୍ଡ ଓ ଟିମ୍ ଇଣ୍ଡିଆ ମଧ୍ୟରେ ବର୍ମିଂଘମରେ ଚଳିତ ବିଶ୍ୱକପର ୩୮ ତମ ମ୍ୟାଚ ଖେଳାଯିବ । ବର୍ତ୍ତମାନ ସୁଦ୍ଧା ବିରାଟ ବାହିନୀ ଏକମାତ୍ର ଦଳ ଭାବେ ଅପରାଜୟ ରହିଥିବା ବେଳେ ଇଂଲଣ୍ଡ ବିପକ୍ଷରେ ମଧ୍ୟ ସମାନ ରେଜଲ୍ଟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଏହି ବିଜୟ ପରେ ଟିମ୍ ଇଣ୍ଡିଆ ନକ୍ ଆଉଟ୍ ରାଉଣ୍ଡରେ ପ୍ରବେଶ କରିଯିବ । ଏହା ସହିତ ଏହି ମ୍ୟାଚରେ ମହେନ୍ଦ୍ର ସିଂହ ଧୋନି ଆଉ ଏକ ବଡ ରେକର୍ଡ କରିପାରନ୍ତି ।
ୱେଷ୍ଟଇଣ୍ଡିଜ ବିପକ୍ଷରେ ଦମଦାର ଇନିଂସ ଖେଳିବା ପରେ ସବୁଆଡେ ଧୋନିଙ୍କର ଧୁମ୍ ଦେଖିବାକୁ ମିଳୁଛି । କୋଚ ରବିଶାସ୍ତ୍ରୀଙ୍କ ଠାରୁ ଅଧିନାୟକ ବିରାଟ, ସମସ୍ତେ ଧୋନିଙ୍କ ପ୍ରସଂଶା କରୁଛନ୍ତି । ଇଂଲଣ୍ଡ ବିପକ୍ଷରେ ଧୋନିଙ୍କ ପାଖରେ ଏକ ବଡ ରେକର୍ଡ କରିବାର ସୁଯୋଗ ରହିଛି, ଯେଉଁ ରେକର୍ଡ ଅନେକ ଦିନରୁ ଯୁବରାଜଙ୍କ ନାଁରେ ରହିଛି ।
ଇଂଲଣ୍ଡ ବିପକ୍ଷରେ ଭାରତ ପକ୍ଷରୁ ସବୁଠାରୁ ଅଧିକ ରନ୍ କରିବାର ରେକର୍ଡ ଏବେ ଯୁବରାଜଙ୍କ ନାଁରେ ରହିଛି । ସେ ୩୭ଟି ମ୍ୟାଚରେ ସର୍ବାଧିକ ୧୫୨୩ ରନ କରିଛନ୍ତି । ଯୁବରାଜଙ୍କ ଏହି ରେକର୍ଡ ଭାଙ୍ଗିପାରେ । ଏହି ରେକର୍ଡ ଠାରୁ ଧୋନି ମାତ୍ର ୧୯ ରନ ଦୂରରେ ରହିଛନ୍ତି । ଧୋନି ଇଂଲଣ୍ଡ ବିପକ୍ଷରେ ବର୍ତ୍ତମାନ ସୁଦ୍ଧା ୧୫୦୪ ରନ କରିଛନ୍ତି । ତେବେ ରବିବାର ଧୋନି ଏହି ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି । ଯୁବରାଜ ଇଂଲଣ୍ଡ ବିପକ୍ଷରେ ୫୦.୭୬ ହାରରେ କରିଥିବା ବେଳେ ଧୋନିଙ୍କ ବ୍ୟାଟିଂ ହାର ହେଉଛି ୪୫.୫୭ । କେବଳ ସେତିକି ନୁହେଁ ଇଂଲଣ୍ଡ ବିପକ୍ଷରେ ଯୁବରାଜ ଟିମ୍ ଇଣ୍ଡିଆ ପକ୍ଷରୁ ସର୍ବାଧିକ ୪ଟି ଶତକ ମାରିଛନ୍ତି ।