ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଲା ଶ୍ରୀ ବଳଦେବଜୀଉଙ୍କ ନନ୍ଦିଘୋଷ ରଥ

କେନ୍ଦୁଝର,୧୦/୨: କେନ୍ଦୁଝର ଜିଲା ଶ୍ରୀ ବଳଦେବଜୀଉଙ୍କ ନନ୍ଦିଘୋଷ ସର୍ବୋଚ୍ଚ ରଥ ଭାବେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛି। ରବିବାର ଏହି ସଂସ୍ଥାର ରାଜେଶ କୁମାର ବର୍ମା କେନ୍ଦୁଝରକୁ ଆସି ଏହାର ଉଚ୍ଚତା ମାପି ଏହା ଘୋଷଣା କରିଛନ୍ତି। କେନ୍ଦୁଝର ଉପଜିଲାପାଳ ତଥା ଦେବୋତ୍ତର ବିଭାଗର ନିର୍ବାହୀ ଅଧିକାରୀ ସୋମନାଥ ପ୍ରଧାନଙ୍କୁ ଏନେଇ ପ୍ରମାଣପତ୍ର ଓ ମେଡାଲ ପ୍ରଦାନ କରିଛନ୍ତି।

ପୂର୍ବରୁ ୫ଟି ସଂସ୍ଥା ଏହାକୁ ସର୍ବୋଚ୍ଚ ରଥ ଭାବେ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଆଉ ଏକ ସଂସ୍ଥା ଏଭଳି ପ୍ରମାଣପତ୍ର ଦେବା ପରେ ଏହା ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡ ପାଇଁ ଯୋଗ୍ୟ ହୋଇପାରିବ ବୋଲି ଉପଜିଲାପାଳ ସୂଚନା ଦେଇଛନ୍ତି।

ରାଜାରାଜୁଡା ଅମଳରୁ ପ୍ରସ୍ତୁତ ହୋଇ ଆସୁଥିବା ଏହି ରଥ ପୁରୀ ଶ୍ରୀଜଗନ୍ନାଥଙ୍କ ରଥଠାରୁ ଉଚ୍ଚ। ଏହାର ଉଚ୍ଚତା ଆଗରୁ ଅଧିକ ଥିବାବେଳେ ବର୍ତ୍ତମାନ ସମୟରେ କାଠର ଅଭାବ ଯୋଗୁ ଏହା କମ୍‌ ହୋଇଥିବା କୁହାଯାଉଛି।