ଉପମୁଖ୍ୟମନ୍ତ୍ରୀ ହେବାର ୨ ଦିନ ମଧ୍ୟରେ ୭୦ ହଜାର କୋଟି ଟଙ୍କାର ଜଳ ଦୁର୍ନୀତି ମାମଲାରେ ଅଜିତ ପାୱାରଙ୍କୁ କ୍ଲିନ୍‌ଚିଟ୍‌

ମୁମ୍ବାଇ,୨୫/୧୧: ମହାରାଷ୍ଟ୍ରର ଆଣ୍ଟି କର୍‌ପସନ ବ୍ୟୁରୋ (ଏସିବି) ସୋମବାର ନବ ନିଯୁକ୍ତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ୭୦ ହଜାର କୋଟି ଟଙ୍କାର ଜଳସେଚନ ଦୁର୍ନୀତି ମାମଲାରେ କ୍ଲିନ୍‌ଚିଟ୍‌ ପ୍ରଦାନ କରିଛନ୍ତି। ତଦନ୍ତକାରୀ ସଂସ୍ଥା ଏହି ଦୁର୍ନୀତିର ତଦନ୍ତ ବି ବନ୍ଦ କରି ଦେଇଛନ୍ତି।

୨୦୧୪ ମସିହାରେ ଦେବେନ୍ଦ୍ର ଫଡ୍‌ନାଭିସ୍‌ ମୁଖ୍ୟମନ୍ତ୍ରୀ ହେବା ପରେ ଅଜିତ ପାୱାରଙ୍କ ସମେତ ଅନ୍ୟ କେତେକ ଶୀର୍ଷ ନେତାଙ୍କ ବିରୋଧରେ ଜଳସେଚନ ଦୁର୍ନୀତିକୁ ନେଇ ଏସିବି ଯାଞ୍ଚ୍‌ ପାଇଁ ସବୁଜ ସଂକେତ ଦେଇଥିଲେ । ସେବେଠାରୁ ଏହି ଦୁର୍ନୀତିର ତଦନ୍ତ ଜାରି ରହିଥିବା ବେଳେ ସୋମବାର ତାହାକୁ ବନ୍ଦ କରି ଦିଅ‌ାଯାଇଛି।

ଏନ୍‌ସିପି ଓ କଂଗ୍ରେସ ଶାସନ କାଳରେ ହୋଇଥିବା ବିଭିନ୍ନ ଜଳସେଚନ ପ୍ରକଳ୍ପ ସଂପର୍କିତ ଦୁର୍ନୀତି ‘ବିଦର୍ଭ ଦୁର୍ନୀତି’ ନାମରେ ଜଣାଯାଏ। ୧୯୯୯ ମସିହାରୁ ୨୦୧୪ ମଧ୍ୟରେ ଜଳସେଚନ ବିଭାଗର ଦାୟିତ୍ବରେ ଥିବା ମନ୍ତ୍ରୀମାନଙ୍କ ମଧ୍ୟରୁ ଅଜିତ ପାୱାର ଅନ୍ୟତମ।
ମହାରାଷ୍ଟ୍ରରେ ବିଜେପିକୁ ନିଜର ସମର୍ଥନ ଦେଇ ଅଜିତ ପାୱାର ଉ ମୁଖ୍ୟମନ୍ତ୍ରୀ ହେବାର ମାତ୍ର ୨ ଦିନ ମଧ୍ୟରେ ତାଙ୍କ ନାମରେ ଥିବା ମାମଲାକୁ ବନ୍ଦ କରି ଦିଆଯାଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।