ଏଡିଲେଡ୍,୯/୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍ ମ୍ୟାଚ୍ରେ ଦୃଢ଼ ସ୍ଥିତିରେ ରହିଛି ଭାରତ। ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୩୨୩ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ୪ ୱିକେଟ୍ ହରାଇ ୧୦୪ ରନ୍ କରିଛି। ଆସନ୍ତାକାଲି ମ୍ୟାଚ୍ର ଅନ୍ତିମ ଦିନ। ଅଷ୍ଟ୍ରେଲିଆକୁ ଜିତିବା ପାଇଁ ଆହୁରି ୨୧୯ ରନ୍ ଦରକାର।
ଅନ୍ୟପକ୍ଷରେ ମ୍ୟାଚ୍ ଜିତିବାକୁ ହେଲେ ଭାରତକୁ ୬ଟି ୱିକେଟ୍ ନେବାକୁ ପଡ଼ିବ। ଏଣୁ କାଲି ମ୍ୟାଚ୍ ଆହୁରି ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।
ଭାରତ ଆଜି ତାର ଦ୍ୱିତୀୟ ଇନିଂସ୍ରେ ୩୦୭ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଏହା ସହିତ କଙ୍ଗାରୁ ଦଳ ପାଇଁ ୩୨୩ ରନ୍ ବିଜୟ ଲକ୍ଷ୍ୟ ଛାଡ଼ିଥିଲା। କାରଣ ପ୍ରଥମ ଇନିଂସ୍ରେ ବିରାଟ ବାହିନୀ ୧୫ ରନ୍ର ଅଗ୍ରଣୀ ଲାଭ କରିଥିଲେ।୩୨୩ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଟିମ୍କୁ ୧୧.୬ ଓଭରରେ ପ୍ରଥମ ଝଟକା ଲାଗିଥିଲା। ୧୧ ରନ୍ କରି ଓପନର୍ ଆରୋନ୍ ଫିଞ୍ଚ୍ ଆଉଟ୍ ହୋଇଥିଲେ। ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲ୍ରେ ସେ ୱିକେଟ୍ କିପର ଋଷଭ ପନ୍ତଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ପ୍ରଥମ ଇନିଂସ୍ରେ ଖାତା ଖୋଲି ପାରି ନଥିବା ଫିଞ୍ଚ୍ ଏଥର ବି ଫେଲ୍ ମାରିଥିଲେ।