ଏନଡିଏକୁ ଝଟକା: ଇସ୍ତଫା ଦେଲେ କେନ୍ଦ୍ର ମନ୍ତ୍ରୀ ଉପେନ୍ଦ୍ର କୁଶୱାହ

ନୂଆଦିଲ୍ଲୀ, ୧୦/୧୨ : ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଆଜି ଏନଡିଏ ବିରୋଧୀ ଦଳଙ୍କ ମହା ବୈଠକ ଆୟୋଜନ ହେଉଛି । କି;ୁ ଏହା ପୂର୍ବରୁ ଏନଡିଏକୁ ଝଟକା ଲାଗିଛି । ରାଷ୍ଟ୍ରୀୟ ଲୋକସମତା ପାର୍ଟି (ଆରଏଲଏସପି) ଅଧ୍ୟକ୍ଷ ତଥା କେନ୍ଦ୍ର ମାନବ ସମ୍ବଳ ରାଷ୍ଟ୍ର ମନ୍ତ୍ରୀ ଉପେନ୍ଦ୍ର କୁଶୱାହ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ସୂଚନା ମିଳିଛ । ତେବେ କୁଶୱାହଙ୍କ ଏହି ପଦକ୍ଷେପ ବିହାରରେ ରାଜନୈତିକ ସମୀକରଣ ବଦଳାଇ ପାରେ ବୋଲି ଆଶଙ୍କା ରହିଛି ।
୨୦୧୯ ଲୋକସଭା ନିର୍ବାଚନରେ ଆରଏଲଏସପିକୁ ୨ରୁ ଅଧିକ ଆସନ ମିଳିବ ନାହିଁ ବୋଲି ବିଜେପି ପକ୍ଷରୁ ସଙ୍କେତ ମିଳିବା ପରେ ଅସ;ୁଷ୍ଠ ପ୍ରକାଶ କରି ଆରଏଲଏସପି ଅଧ୍ୟକ୍ଷ କୁଶୱାହ ନିଜ ପଦବୀରୁ ଇସ୍ତଫା ଦେଇଥିବା କୁହାଯାଉଛି । ଅନ୍ୟ ପକ୍ଷରେ ବିଜେପି ଏବଂ ଜେଡିୟୁ ମଧ୍ୟରେ ନିର୍ବାଚନ ଲଢିବାକୁ ସହମତି ମିଳିଛି । ତେବେ କୁଶୱାହଙ୍କ ଏହି ପଦକ୍ଷେପ ପରେ ଆରଏଲଏସପି ବିପକ୍ଷ ଦଳ ସହ ହାତ ମିଶାଇ ପାରେ ବୋଲି ସୂଚନା ମିଳୁଛି । ଏହା ସହିତ ଆଜି ଆୟୋଜିତ ହେଉଥିବା ଏନଡିଏ ବୈଠକରେ ସେ ଯୋଗ ଦେବେ ନାହିଁ ବୋଲି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି । ଏହା ପରେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଭେଟ କରିବେ ବୋଲି କୁହାଯାଉଛି ।
ଏହା ବ୍ୟତିତ ଉପେନ୍ଦ୍ର କୁଶୱାହ ଆଜି ଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି । ଏଥିରେ ତାଙ୍କ ସହ ବିହାର ବିରୋଧୀ ଦଳ ନେତାମାନେ ଯୋଗ ଦେବା ନେଇ ସୂଚନା ମିଳିଛି । ବିହାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଂଝୀ ପ୍ରମୁଖ ଦିଲ୍ଲୀରେ ଥିବାରୁ ସେମାନେ ଏଥିରେ ଯୋଗ ଦେବାର ସମ୍ଭାବନା ରହିଛି ।