ନୂଆଦିଲ୍ଲୀ, ୧୧/୧୨ : ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଇସ୍ତଫା ପରେ ଏନ୍.ଏସ୍ ବିଶ୍ୱନାଥନ ଆରବିଆଇର ପରବର୍ତ୍ତୀ ମଧ୍ୟବର୍ତ୍ତୀକାଳୀନ ଗଭର୍ଣ୍ଣର ହୋଇପାରନ୍ତି । ଗତକାଲି ଉର୍ଜିତ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରୁ ଇସ୍ତଫା ଦେବା ପରେ ବିଶ୍ୱନାଥଙ୍କୁ ମଧ୍ୟବର୍ତ୍ତୀକାଳୀନ ଗଭର୍ଣ୍ଣର ଭାବେ ନିଯୁକ୍ତି ଦିଆଯିବା ନେଇ ଚର୍ଚ୍ଚା ଜୋର ଧରିଛି । ଯଦି ଏପରି ହୁଏ ତାହେଲେ ସେ ଶୁକ୍ରବାର ହେବାକୁ ଥିବା ଆରବିଆଇ ବୋର୍ଡ ବୈଠକର ଅଧ୍ୟକ୍ଷତା କରିବେ । ଏହି ବୈଠକରେ ଅନେକ ଗୁରୁତ୍ୱପୁର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ରିଜର୍ଭ ବ୍ୟାଙ୍କ ଭଳି ମହତ୍ୱପୁର୍ଣ୍ଣ ସଂସ୍ଥାରେ ମୁଖିଆଙ୍କ ପଦବୀ ଅଧିକ ସମୟ ପାଇଁ ଖାଲି ରଖାଯାଇ ପାରିବ ନାହିଁ । ତେଣୁ ପଟେଲଙ୍କ ସ୍ଥାନରେ ନୂଆ ଗଭର୍ଣ୍ଣରଙ୍କ ନିଯୁକ୍ତି ପ୍ରକ୍ରିୟା ସରକାର ଖୁବ୍ ଶୀଘ୍ର ଆରମ୍ଭ କରିବେ । ରିଜର୍ଭ ବ୍ୟାଙ୍କରେ କାର୍ଯ୍ୟରତ ଥିବା ୪ ଡେପୁଟି ଗଭର୍ଣ୍ଣରଙ୍କ ମଧ୍ୟରୁ ଏନ୍.ଏସ୍ ବିଶ୍ୱନାଥନ ସବୁଠୁ ବରିଷ୍ଠ । ବିଶ୍ୱନାଥଙ୍କୁ ୨୦୧୬ ଜୁଲାଇ ୪ ତାରିଖରେ ୩ ବର୍ଷ ପାଇଁ ଏହି ପଦବୀରେ ନିଯୁକ୍ତି ଦିଆଯାଇଥିଲା । ଏହା ପୂର୍ବରୁ ସେ ଆରବିଆଇର କାର୍ଯ୍ୟକାରୀ ନିର୍ଦ୍ଦେଶକ ଥିଲେ । ୫୮ ବର୍ଷିୟ ବିଶ୍ୱନାଥ ୧୯୮୧ରେ ଆରବିଅଇର ଅଧିକାରୀ ଭାବେ ଯୋଗ ଦେଇଥିଲେ । ସେ ବେଙ୍ଗାଲୁରୁ ୟୁନିଭରସିଟିରେ ଅର୍ଥଶାସ୍ତ୍ରରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ।
