ଭୁବନେଶ୍ୱର, ୧୨/୧୨: କଂଗ୍ରେସକୁ ଅଭିନନ୍ଦନ ଜଣାଇବା ଆଳରେ ବିଜେପିକୁ ଗାଳି ଦେବାପାଇଁ ଯେଉଁ କୃଷକ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ଉଠାଇଛନ୍ତି ଏହା ଆଗାମୀ ଦିନରେ ତାଙ୍କୁ ମହଙ୍ଗା ପଡିବ ବୋଲି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ।
ରାଜ୍ୟରେ ଚାଷୀ ଆତ୍ମହତ୍ୟା ବଢି ବଢି ଚାଲିଛି । ଓଡିଶାର ଚାଷୀ ସାରା ଦେଶରେ ସବୁଠାରୁ ଖରାପ ସ୍ଥିତିରେ ଅଛନ୍ତି । ଜଳସେଚନର ସୁବିଧା ନାହିଁ, କୃଷିଋଣ ପ୍ରକୃତ ଚାଷୀଙ୍କୁ ମିଳୁନି, ଧାନର ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଉନାହିଁ , ରାଜ୍ୟରେ ଶୀତଳଭଣ୍ଡାର ନାହିଁ । କୃଷି ବିକାଶ ନ ହେବା କାରଣରୁ ଓଡିଶାର ଚାଷୀ ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ଓଡିଶାର ୭୦ ଭାଗ ଲୋକ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ କୃଷି ଅର୍ଥନୀତି ସହ ଜଡିତ । ଏଥି ସହ ଓଡିଶାର ଚାଷୀ ସାରା ଦେଶରେ ସବୁଠାରୁ ଖରାପ ସ୍ଥିତିରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପରୋକ୍ଷରେ ସ୍ୱୀକାର କରିଛନ୍ତି । ଆଗାମୀ ୨୦୧୯ ନିର୍ବାଚନରେ ଚାଷୀ ମାନେ ବିଜେଡି ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିବେ ।
ରାଜ୍ୟ ସରକାର ପାଇଁ ନିର୍ବାଚନରେ କଂଗ୍ରେସ ସଫଳତାରେ ବିଜେଡି ଉତ୍ସବ ପାଳନ କରୁଥିବା କହିବା ସହ ଏହା ବିଜେଡିର ବିଜେପି ପ୍ରତି ରହିଥିବା ଡରକୁ ପ୍ରମାଣିତ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନପ୍ରିୟତା ଅକ୍ଷୂର୍ଣ ରହିଛି ଓ ଏହାର ପ୍ରଭାବ ଦେଶ ଓ ଓଡିଶାରେ ଆଗାମୀ ନିର୍ବାଚନରେ ପ୍ରମାଣିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
