ଓଡ଼ିଶାକୁ ମିଳିବ ତିତଲି ସହାୟତା: ଧର୍ମେନ୍ଦ୍ର

0

ଭୁବନେଶ୍ବର,୯/୧୨ : ତିତଲି ବାତ୍ୟା କ୍ଷୟକ୍ଷତି ପାଇଁ ଓଡ଼ିଶାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏନ୍‌ଡିଆର୍‌ଏଫ୍)ରୁ ଅତିରିକ୍ତ ସହାୟତା ମିଳିବ। କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଅତିରିକ୍ତ ସହାୟତା ପ୍ରଦାନକୁ ଅନୁମତି ଦିଆଯାଇଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଟ୍ବିଟ୍ କରି ଏହି ନେଇ ସୂଚନା ଦେଇଛନ୍ତି।

ଗତ ୬ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ତିତଲି କ୍ଷୟକ୍ଷତି ପାଇଁ ଆନ୍ଧ୍ରପ୍ରଦେଶକୁ ୫୩୯.୫୨ କୋଟି ଟଙ୍କାର ଆର୍ଥିକ ସହାୟତାକୁ ମଞ୍ଜୁର କରାଯାଇଥିଲା। ଏହି ବୈଠକରେ କେରଳର ବନ୍ୟା ଓ ନାଗାଲାଣ୍ଡ୍‌ର ଭୂସ୍ଖଳନ ପାଇଁ ମଧ୍ୟ ଅତିରିକ୍ତ ସହାୟତା ମଞ୍ଜୁର କରାଯାଇଥିଲା। କିନ୍ତୁ ଓଡ଼ିଶା ସରକାର ତିତଲି କ୍ଷୟକ୍ଷତି ପାଇଁ ୨୭୮୦ କୋଟି ଟଙ୍କା ଦାବି କରିଥିଲେ ବି ଟଙ୍କାଟିଏ ସହାୟତା ପ୍ରଦାନ କରାଯାଇ ନ ଥିଲା। ଏପରିକି ବୈଠକରେ ଓଡ଼ିଶା ଦାବି ସମ୍ପର୍କରେ ଆଲୋଚନା ହୋଇ ନ ଥିବା କୁହାଯାଇଥିଲା।

କେନ୍ଦ୍ରର ଏପରି ପାତରଅନ୍ତର ନୀତିକୁ ନେଇ ଓଡ଼ିଶାରେ ଅସନ୍ତୋଷ ସୃଷ୍ଟି ହେଉଥିଲା ବେଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଏହି ପ୍ରସଙ୍ଗରେ ଗୃହ ମନ୍ତ୍ରୀ ରାଜନାଥ ସିଂହ ଏବଂ ଗୃହ ସଚିବ ରାଜୀବ ଗୌବାଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶା ପାଇଁ ଅତିରିକ୍ତ ସହାୟତା ରାଶି ତୁରନ୍ତ ପ୍ରଦାନ କରିବାକୁ ସେ ଅନୁରୋଧ କରିଥିଲେ।

Leave A Reply

Your email address will not be published.