“ଓଡ଼ିଶା ଦିବସ”ରୁ ଟ୍ରେନ୍‌ ଟିକେଟ୍‌ରେ ରହିବ ଓଡ଼ିଆ ଭାଷା

ନୂଆଦିଲ୍ଲୀ,୮/୩ :ଭାରତୀୟ ରେଳବାଇ ୨୦୧୯ ଏପ୍ରିଲ ୧ରୁ “ଓଡ଼ିଶା ଦିବସ” ଅବସରରେ ରେଳ ଟିକେଟ୍‌ରେ ଓଡ଼ିଆ ଭାଷା ଲାଗୁ କରିବେ ବୋଲି ଜଣାପଡ଼ିଛି। ରେଳ ଟିକେଟ୍‌ରେ ହିନ୍ଦୀ ଓ ଇଂରାଜୀ ଭାଷା ସମେତ ଓଡ଼ିଆ ଭାଷା ମଧ୍ୟ ରହିବ। ପୂର୍ବତଟ ରେଳପଥ, ଦକ୍ଷିଣ-ପଶ୍ଚିମ ରେଳପଥ ଓ ଦକ୍ଷିଣ ପଶ୍ଚିମ କେନ୍ଦ୍ରୀୟ ରେଳପଥ ଅନ୍ତର୍ଗତ ୩୧୭ ରେଳ ଷ୍ଟେସନରେ ଓଡ଼ିଆ ଭାଷା ଉଲ୍ଲେଖ ଥାଇ ଟ୍ରେନ୍‌ ଟିକେଟ୍‌ ଉପଲବ୍ଧ ହେବ। ଓଡ଼ିଆ ଭାଷା ଥାଇ ଟ୍ରେନ ଅଣସଂରକ୍ଷିତ ଟିକେଟ୍‌ ଗୁଡ଼ିକ ଓଡ଼ିଶାର ରେଳଷ୍ଟେସନ କାଉଣ୍ଟରରେ ମିଳିପାରିବ।

ଓଡିଶାରେ ରେଳ ଟିକେଟକୁ ଆଂଚଳିକ ଓଡିଆ ଭାଷାରେ ଛାପିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ପତ୍ରରେ ଉଲ୍ଲେଖ କରିଥିଲେ ଯେ, ଓଡିଶାରେ ରେଳଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ବିଭାଗ ତରଫରୁ ଅନେକ ବ୍ୟବସ୍ଥା କରାଯାଇଛି । ଯାତ୍ରୀ ସୁବିଧାରେ ଗତ କିଛି ବର୍ଷରେ ବହୁ ଉନ୍ନତି ପରିଲିକ୍ଷିତ ହେବା ସହ ଯାତ୍ରା ସମୟରେ ଲୋକମାନଙ୍କର ଅନୁଭୂତି ସୁଃଖଦ ହେଉଛି । ଏହାସହ ଓଡିଶାରେ ଟିକେଟ୍ ଗୁଡିକ ଯଦି ଓଡିଆରେ ଉପଲବ୍ଧ ହେବ ତେବେ ଆମ ରାଜ୍ୟର ଲୋକମାନେ ଆହୁରି ଲାଭବାନ ହେବେ ।