କଂଗ୍ରେସର ଭୁବନେଶ୍ୱର, କଟକ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ

ଭୁବନେଶ୍ୱର,୧୪/୨: ୨୦୧୯ ସାଧାରଣ ନିର୍ବାଚନକୁ ଖୁବ୍‌ କମ ସମୟ ରହିଛି। ହେଲେ ଏପର୍ଯ୍ୟନ୍ତ ଶାସକ ବିଜେଡି ନିର୍ବାଚନରେ କାହାକୁ ଟିକେଟ ଦେବ ନ ଦେବ ସେନେଇ ନିଜ କାର୍ଡ ଖୋଲିନାହିଁ। ଦଳୀୟ ଅନ୍ତଃ କନ୍ଦଳ ଏବଂ ଟିକେଟ ଆଶାୟୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଥିବାରୁ ଏଯାଏଁ ବିଜେଡି ଆଭ୍ୟନ୍ତରୀଣ ବ୍ୟାପାରକୁ ପଦାକୁ ଆସିବାକୁ ଦେଇନାହିଁ। ଫଳରେ ବିଜେଡି ଅସନ୍ତୁଷ୍ଟଙ୍କୁ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ କରିବାକୁ ଲକ୍ଷ୍ୟ ରଖିଥିବା ଭାଜପା ମଧ୍ୟ ଏ କ୍ଷତ୍ରରେ ନୀରବତା ଅବଲମ୍ବନ କରିଛି। ହେଲେ ଦୁଇ ଦଳଠାରୁ ଆଗରେ ରହି ପ୍ରଥମେ ପ୍ରାର୍ଥୀ ତାଲିକା ଘୋଷଣା କରିବା ପାଇଁ କଂଗ୍ରେସ ନିଜର ଅଣ୍ଟା ଭିଡ଼ିଛି। ଯଦିଓ ଅଗଷ୍ଟରୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ ବୋଲି କହି ୫ମାସ ହେଲା ସଫଳ ହୋଇପାରି ନାହିଁ, ଏଥର କିନ୍ତୁ ସାମାନ୍ୟ ତତ୍ପରତା ଦେଖାଇବାକୁ ଚେଷ୍ଟା କରିଛି। ଅନ୍ୟପଟେ ୩ଦିନିଆ ଓଡ଼ିଶା ଗସ୍ତରେ ଆସି ବୁଧବାରଠାରୁ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ସଦସ୍ୟ ଓଡ଼ିଶାର ବିଭିନ୍ନ ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅନ୍ତର୍ଗତ ଆସୁଥିବା ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।

କେନ୍ଦ୍ର ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି.ଡି. ସାଥୀସାନ କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ଭୁବନେଶ୍ୱର ଓ କଟକ ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହାର ଅନ୍ତର୍ଗତ ବିଧାନସଭା କ୍ଷେତ୍ରର ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ସହ ଆଲୋଚନା କରିଛନ୍ତି। ଏ ନେଇ ସବୁ ଦୁଇଟି ଯାକ ଲୋକ ସଭା ନିର୍ବାଚନମଣ୍ଡଳୀର ଆଶାୟୀ ପ୍ରାର୍ଥୀମାନଙ୍କ ସହ କ୍ରମାନୁଯାୟୀ ଆଲୋଚନା କରି ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ସୂଚନା ମୁତାବକ, ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ଲୋକନାଥ ମହାରଥୀ, ଶିବାନନ୍ଦ ରାୟ, ରାଜୀବ ପଟ୍ଟନାୟକ ଓ ଶୁଭେନ୍ଦୁ ମହାନ୍ତିଙ୍କ ନାମ ତାଲିକାରେ ରଖାଯାଇଛି। ଏକାମ୍ର ବିଧାନସଭା ଆସନ ପାଇଁ ରଶ୍ମି ମହାପାତ୍ର ଏବଂ ମାନସ ଆଚାର୍ଯ୍ୟ। ଉତ୍ତର ଆସନ ପାଇଁ ମନୋରଞ୍ଜନ ଦାଶ, ଇତିଶ ପ୍ରଧାନ, ଆଶିଷ ମଲ୍ଲିକ ଏବଂ କିଶୋର ଜେନାଙ୍କ ନାମ ରହିଛି। ମଧ୍ୟ ଆସନରୁ ପ୍ରକାଶ ଜେନା, ଶକୁନି କଅଁର ଏବଂ ଶୁଭେନ୍ଦୁ ମହାନ୍ତିଙ୍କ ନାମ ଯାଇଛି। ଜଟଣୀ ଆସନ ପାଇଁ ସୁରେଶ ରାଉତରାୟ, ରସିକ ପଟ୍ଟନାୟକ ଏବଂ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନାମ ରହିଛି। ଖୋର୍ଦ୍ଧାରୁ ରାମଚନ୍ଦ୍ର ମହାପାତ୍ର, ଯୋଗୀନାଥ ବାହୁବଳେନ୍ଦ୍ର ଏବଂ ସ୍ବାଗତିକା ପଟ୍ଟନାୟକଙ୍କ ନାମ ରହିଛି। ବେଗୁନିଆରୁ ପୃଥ୍ବୀବଲ୍ଲଭ ପଟ୍ଟନାୟକ ଏବଂ ପ୍ରଭାତ ପରିଡାଙ୍କ ନାମ ରହିଛି। ଅନ୍ୟପଟେ କଟକ ଲୋକ ସଭା ଆସନ ପାଇଁ ବିଜୟଲକ୍ଷ୍ମୀ ସାହୁ, ପଞ୍ଚାନନ କାନୁନ୍‌ଗୋ, ସାବିତ୍ରୀ ଚୌଧୁରୀ ଏବଂ ବିଶ୍ୱଜିତ୍‌ ଦାଶଙ୍କ ନାମ ରହିଛି। କଟକ-ଚୌଦ୍ୱାର ପାଇଁ ମାନସ ଚୌଧୁରୀ ଏବଂ ବାରବାଟୀ ଆସନ ପାଇଁ ମହମ୍ମଦ ମୋକ୍କିମଙ୍କ ନାମ ରହିଛି। କଟକ ସଦର ପାଇଁ ଦୁଷ୍ମନ୍ତ ବେହେରା ଏବଂ ରତ୍ନାକର ବେହେରାଙ୍କ ନାମ ରହିଛି। ସେହିପରି ଆଠଗଡ଼ ପାଇଁ ଉମା ବଲ୍ଲଭ ରଥ, ବାଙ୍କି ଆସନ ପାଇଁ ଦେବାଶିଷ ପଟ୍ଟନାୟକଙ୍କ ନାମ ଯାଇଥିବା ଜଣାପଡିଛି। ପ୍ରଥମ ଦିନରେ ସାଥୀସାନ ଏହି ତାଲିକା ପ୍ରସ୍ତୁତ କରିଥିବାବେଳେ ଗୁରୁବାର ପୁରୀ ଓ ଜଗତ୍‌ସିହପୁର ଲୋକ ସଭା, ବିଧାନସଭା ନିର୍ବାଚନମଣ୍ଡଳୀ ଗୁଡିକର ସମୀକ୍ଷା କରି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବେ। ଅପରପକ୍ଷରେ ସ୍କ୍ରିନିଂ କମିଟିର ଅନ୍ୟଜଣେ ସଦସ୍ୟ ନୌସାଦ ସୋଲାଙ୍କି ବୁଧବାର ଆସ୍କା ଓ ବ୍ରହ୍ମପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହାର ଅନ୍ତର୍ଗତ ବିଧାନସଭା କ୍ଷେତ୍ରର ଆଶାୟୀ ପ୍ରାର୍ଥୀମାନଙ୍କ ତାଲିକା ପ୍ରସ୍ତୁତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଗୁରୁବାର ସୋଲାଙ୍କି ନବରଙ୍ଗପୁର ଓ କଳାହାଣ୍ଡି ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହାର ଅନ୍ତର୍ଗତ ବିଧାନସଭା କ୍ଷତ୍ରଗୁଡିକ ପାଇଁ ଆଶାୟୀ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବାର କାର୍ଯ୍ୟକ୍ରମ ରହିଛି।

SBI_Festive_Digital Billboard