ଭୁବନେଶ୍ୱର,୧୨/୧୨: ଦେଶରେ ୫ ରାଜ୍ୟରେ ନିର୍ବାଚନ ଫଳାଫଳ ପରେ ରାଜ୍ୟ କଂଗ୍ରେସ ମନୋବଳ ଦୃଢ଼ ହୋଇଛି । ଆଗାମୀ ସାଧାରଣ ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କରୁଛି । ଚାଷୀଙ୍କୁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବ କଂଗ୍ରେସ । ଚାଷୀଙ୍କ ସମସ୍ୟା ମୁଖ୍ୟ ପ୍ରସଙ୍ଗ ହେବ । ଯଦି ଆଗାମୀ ଦିନରେ କଂଗ୍ରେସ କ୍ଷମତାକୁ ଆସେ ତାହା ହେଲେ କୃଷି ଋଣ ଛାଡ଼ ହେବ । ଏହାକୁ ନିର୍ବାଚନୀ ଇସ୍ତାହାର ତାଲିକାଭୁକ୍ତ କରାଯିବ ବୋଲି ଆଜି ବସିଥିବା ଦଳର ଇସ୍ତାହାର କମିଟି ବୈଠକ ପରେ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ଆଜି ଦଳୀୟ କାର୍ଯ୍ୟାଳୟରେ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଇସ୍ତାହାର କମିଟି ବୈଠକରେ ଦଳର ରଣନୀତି ନେଇ ଆଲୋଚନା କରାଯାଇଛି । ଚାଷୀ, ଯୁବକ, ଆଦିବାସୀ ଓ ମହିଳା ସୁରକ୍ଷାକୁ ନଜରରେ ରଖି ମାନସ ମନ୍ଥନ ଚାଲିଛି । ଏହି ୪ ପ୍ରସଙ୍ଗ ଉପରେ ଦଳ ଫୋକସ୍ କରିବ । ବିଶେଷ କରି ଚାଷୀ କାର୍ଡ ଖେଳିବାକୁ ଦଳ ପ୍ରସ୍ତୁତ ହେଉଛି । ଯଦି ଆଗାମୀ ଦିନରେ କଂଗ୍ରେସ କ୍ଷମତାକୁ ଆସେ ତାହା ହେଲେ ରାଜ୍ୟରେ କୃଷି ଋଣ ଛାଡ଼ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହା ମୁଖ୍ୟ ଏଜେଣ୍ଡା ହେବ । ସେହିପରି ସୁବିଧାରେ ଚାଷୀ ଭାଇକୁ ସୋଲାର ପମ୍ପ୍ ଯୋଗାଇ ଦିଆଯିବ । ଏହା ସହିତ ୫ବର୍ଷ ପାଇଁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ । ଏହା ସହିତ ବାର୍ଦ୍ଧକ୍ୟ ଭତ୍ତା ୩ ଶହ ଟଙ୍କା ପାଉଥିବା ବ୍ୟକ୍ତିଙ୍କୁ ୧୦୦୦ଟଙ୍କା ଭତ୍ତା ପାଇବେ ବୋଲି ନିରଞ୍ଜନ କହିଛନ୍ତି ।