କଟକ ପୋଲିସ ହାତରେ ବାଇକ୍‌ ଲୁଟେରା ଗ୍ୟାଙ୍ଗ : ୧୯ ଗାଡ଼ି ଜବତ, ୪ ଗିରଫ

କଟକ ,୨୯/୧୧: କଟକ ଚାଉଳିଆଗଞ୍ଜ ପୋଲିସ ହାତରେ ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗ ଧରାପଡ଼ିଛି। ପୋଲିସ ସେମାନଙ୍କଠାରୁ ୧୯ଟି ଚୋରା ବାଇକ୍‌ ଜବତ କରିଛି। ଏହି ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଜଗତସିଂହପୁର ଜିଲା ହାଜିପୁର ନୂଆସାହିର କୈଳାସ କର(୩୪), ବାଗଲପୁରର ପ୍ରଭାତ ସାମଲ(୩୩), ତିର୍ତ୍ତୋଲ ଅଞ୍ଚଳର ପୁରୁଷୋତ୍ତମ ସାହୁ(୪୦) ଏବଂ କଟକ ଜିଲା ବିରିବାଟି ଭୋଇସାହିର ବିଦ୍ୟାଧର ବେହେରା(୩୯)।

ସୂଚନାନୁଯାୟୀ, ବୁଧବାର ନୂଆବଜାର ଛକରେ ଗାଡ଼ିମୋଟର ଯାଞ୍ଚ କରୁଥିବା ସମୟରେ ଏକ ନମ୍ବର ବିହୀନ ଗାଡ଼ି ପୋଲିସ ନଜରକୁ ଆସିଥିଲା। ଗାଡ଼ିରେ ଥିବା କୈଳାସ ଏବଂ ପ୍ରଭାତ ପୋଲିସକୁ ଦେଖି ଗାଡ଼ି ନ ରଖି ଖସି ଯିବାକୁ ଉଦ୍ୟମ କରିଥିଲେ। ମାତ୍ର ସେମାନଙ୍କୁ ପୋଲିସ କାବୁ କରିବା ସହ ଉଭୟକୁ ଅଟକାଇଥିଲା। ଗାଡ଼ିର କାଗଜପତ୍ର ଯାଞ୍ଚ ସମୟରେ ଏହା ଚୋରି ଗାଡ଼ି ବୋଲି ଜଣାପଡ଼ିଥିଲା। ଫଳରେ ପୋଲିସ ଗାଡ଼ି ଜବତ କରି ଉଭୟଙ୍କୁ ଗିରଫ କରିଥିଲା। ସେମାନଙ୍କୁ ପଚରାଉଚରା କରିବା ପରେ ସେମାନେ ଅନ୍ୟ ଦୁଇଜଣଙ୍କ ନାମ ପୋଲିସ ଆଗରେ ପ୍ରକାଶ କରିଥିବା ଜଣାପଡ଼ିଛି।