ଭୁବନେଶ୍ୱର,୧୧/୧୨: କମିଶନରେଟ ପୋଲିସରେ ଇ-ଚାଲାଣ ବ୍ୟବସ୍ଥା ସୋମବାରଠାରୁ ଆରମ୍ଭ ହୋଇଛି। ପୋଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା କମିଶନରେଟ୍ ମୁଖ୍ୟାଳୟରେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଡିଜିପି ଡା. ଶର୍ମା କହିଲେ, ଇ-ଚାଲାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ସୁବିଧାଜନକ ଓ ସରଳ ପ୍ରକ୍ରିୟା। ମାନୁଆଲ ପେପରରେ ଜରିମାନା କାଟିବା ସମୟରେ ଟ୍ରାଫିକ ପୋଲିସ ଟଙ୍କା ବାଟ ମାରଣ କରୁଥିବା ଅଭିଯୋଗ ଆସୁଥିଲା। ସେହିଭଳି ଅନ୍ୟ ଯେକୌଣସି ବିଲ୍ ପ୍ରଦାନରେ ମଧ୍ୟ ଲୋକଙ୍କ ସନ୍ଦେହ ରହୁଥିଲା। କିନ୍ତୁ ଏହି ନୂଆ ବ୍ୟବସ୍ଥା ଦ୍ୱାରା ଏଥିରେ ସ୍ବଚ୍ଛତା ଆସିବ। ପ୍ରଥମେ କଟକ ଓ ଭୁବନେଶ୍ୱରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟ ବଡ଼ ସହର ତଥା ବ୍ରହ୍ମପୁର, ବାଲେଶ୍ୱର, ସମ୍ବଲପୁର ଓ ରାଉରକେଲାରେ ଆରମ୍ଭ କରାଯିବ। ଏଥିପାଇଁ ଏଚ୍ଡିଏଫ୍ସି ବ୍ୟାଙ୍କ୍ ପିଓଏସ୍ ମେଶିନ ଯୋଗାଇ ଦେଇଛି। କେବଳ ଜରିମାନା ନୁହେଁ, କମିଶନରେଟ୍ ମୁଖ୍ୟାଳୟରେ ହେଉଥିବା ଟଙ୍କା ନେଣଦେଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ଏହି ମେଶିନ ଦ୍ୱାରା କରାଯିବ। ଟଙ୍କା ଦେଉଥିବା ବ୍ୟକ୍ତିମାନେ ନିଜ ନାମରେ ମଧ୍ୟ ଏକ ରସିଦ ପାଇପାରିବେ। ଏହି ବ୍ୟବସ୍ଥା ପୂର୍ବରୁ ଆନ୍ଧ୍ର ଓ ତେଲେଙ୍ଗାନା ଆଦି ସହରରେ କାର୍ଯ୍ୟକାରୀ ହୋଇଥିବାବେଳେ ଏବେ କଟକ-ଭୁବନେଶ୍ୱର ଟ୍ବିନ୍ସିଟିର ଜନସାଧାରଣ ସୁବିଧା ପାଇପାରିବେ ବୋଲି ଡିଜିପି କହିଥିଲେ।