କରୋନାକୁ ରୋକିବ ନାନୋମେଟେରିଆଲ : ଚାଇନା ବୈଜ୍ଞାନିକ

ବେଜିଂ,୩୦/୩: ମହାମାରୀ କରୋନା ଭାଇରସର କେନ୍ଦ୍ରସ୍ଥଳୀ ଚାଇନାର ଉହାନ ସହର କୁହାଯାଉଛି। ପ୍ରଥମେ ଚାଇନା ଏହି ଭାଇରସ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିଲା। ପରେ ୧୯୯ଟି ଦେଶ ଏବେ ଏହି ମହାମାରୀର ଶିକାର ହୋଇଛନ୍ତି। ଏବେ ଚାଇନାରେ ସ୍ଥିତି ସ୍ୱାଭାବିକ ହୋଇଛି। ଉହାନରେ ଲକ୍‌ଡାଉନ୍ ଶେଷ ହୋଇଛି। ଚାଇନାରେ ମୋଟ୍ ୮୧,୦୦୦ ରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୩୦୦ରୁ ଅଧିକ ରହିଛି। ଏବେ ଇଟାଲୀ, ଆମେରିକା, ଭାରତ ଓ ଅନ୍ୟାନ୍ୟ ଦେଶରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ୁଛି। କରୋନାକୁ ରୋକିବା ପାଇଁ ଆମେରିକା, ଇସ୍ରାଏଲ ଟୀକା ବାହାର କରିଛନ୍ତି। ହେଲେ ବଜାରକୁ ଆସିବା ପାଇଁ ଆହୁରି ବର୍ଷେ ଲାଗିବ ବୋଲି ଜଣାପଡ଼ିଛି।

ଏହାରି ଭିତରେ ଚାଇନା ନାନୋମେଟେରିଆଲ ବିକଶିତ କରିଛି। ଯାହାକି କରୋନାକୁ ରୋକିବାରେ ସକ୍ଷମ ବୋଲି ଚାଇନା କହିଛି। ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଏହି ନାନୋମେଟେରିଆଲ ଶରୀର ଭିତରେ ପ୍ରବେଶ କରି କରୋନାକୁ ୯୬.୫ରୁ ୯୯.୯ % ନିଷ୍କ୍ରିୟ କରାଇଦେବ। ଏହାକୁ କିନ୍ତୁ ଔଷଧ କିମ୍ୱା ଟୀକା କୁହାଯିବନି ବୋଲି ଚାଇନା ବୈଜ୍ଞାନିକମାନେ କହିଛନ୍ତି।