ବେଙ୍ଗାଲୁରୁ,୧/୭: କର୍ଣ୍ଣାଟକରେ ପୁଣି ଥରେ ରାଜନୈତିକ ସଙ୍କଟ ଦେଖା ଦେଇଛି। ରାଜ୍ୟରେ ଜେଡିଏସ ସହ ମିଶି ସରକାର ଗଠନ କରିଥିବା କଂଗ୍ରେସ ପାର୍ଟିକୁ ପୁଣି ଥରେ ଝଟକା ଲାଗିଛି। ଏହାର ଦୁଇ ବିଧାୟକ ପାର୍ଟିରୁ ଇସ୍ତଫା ଦେଇଛନ୍ତି। ସୋମବାର ବିଧାୟକ ରମେଶ ଜାରକିହୋଲି ଓ ଆନନ୍ଦ ସିଂହ ପାର୍ଟିର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ରମେଶ ଜାରକିହୋଲି ପ୍ରଥମେ ସରକାରରେ ମନ୍ତ୍ରୀ ଥିଲେ। ମାତ୍ର ଦ୍ଵିତୀୟ ଥର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ତାଙ୍କୁ ପଦରୁ ହଟାଇ ଦିଆଯାଇଥିଲା।
କଂଗ୍ରେସରେ ଜାରି ରହିଥିବା ଆଭ୍ୟନ୍ତରୀଣ କନ୍ଦଳରେ କର୍ଣ୍ଣାଟକ ବିଜେପି କହିଛି ଯେ, ଏବେ କଂଗ୍ରେସରେ ଆହୁରି ଅନେକ ବିଧାୟକ ପାର୍ଟି ଛାଡ଼ି ପାରନ୍ତି। ଯଦି ଏମିତି ହୁଏ ତେବେ ସଙ୍କଟରେ ଘେରି ହୋଇଥିବା କର୍ଣ୍ଣାଟକ ସରକାର କେବେ ବି ଭଙ୍ଗ ହୋଇପାରେ।
କର୍ଣ୍ଣାଟକ ବିଜେପିର ମୁଖ୍ୟ ବିଏସ ୟେଦୁରପ୍ପା କଂଗ୍ରେସ ବିଧାୟକଙ୍କ ଇସ୍ତଫା ଉପରେ କହିଛନ୍ତି ଯେ, ଯଦି ଆଭ୍ୟନ୍ତରୀଣ କନ୍ଦଳ ଚକ୍କରରେ ଜନତା ଦଳ(ସେକ୍ୟୁଲାର) ସରକାର ଭାଙ୍ଗିଯାଏ ତେବେ ବିଜେପି ନିଜେ ସରକାର ଗଠନ କରିବାର ସମ୍ଭାବନା ଖୋଜିବ। ମାତ୍ର ତାଙ୍କ ପାର୍ଟି ମଧ୍ୟବର୍ତ୍ତୀ ନିର୍ବାଚନ ପକ୍ଷଧର ନୁହନ୍ତି। ଯଦି ସରକାର ଗଠନ ହେବାର ସ୍ଥିତି ଉପୁଜେ ତେବେ କର୍ଣ୍ଣାଟକରେ ସ୍ଥାୟୀ ସରକାର କେମିତି ଗଠନ ହେବ ତେବେ ବିଜେପି ପ୍ରୟାସ କରିବ।
ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ପରଠୁ କ୍ରମାଗତ କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ବାଦଲ ଛାଇ ରହିଛି। ପ୍ରଥମେ ମୁଖ୍ୟମନ୍ତ୍ରୀ କୁମାରସ୍ଵାମୀ ସମସ୍ତଙ୍କୁ ଏହା କହି ଚକିତ କରିଥିଲେ ଯେ, ମୁଖ୍ୟମନ୍ତ୍ରୀ ରୂପେ ତାଙ୍କୁ ପ୍ରତିଦିନ ସରକାର ଚଳାଇବାରେ ବହୁତ ଯନ୍ତ୍ରଣା ହେଉଛି। ଏହା ପରେ ପୁର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ା ରାଜ୍ୟରେ ମଧ୍ୟବର୍ତ୍ତୀ ନିର୍ବାଚନ କଥା କହି ସମସ୍ତଙ୍କୁ ଚକିତ କରିଥିଲେ। ଏଥିରେ କଂଗ୍ରେସକୁ ଜୋରଦାର ଝଟକା ଲାଗିଥିଲା। କାରଣ କଂଗ୍ରେସ ଏହି ସରକାରକୁ ଭଙ୍ଗ କରିବା ପକ୍ଷରେ ନାହିଁ।
କର୍ଣ୍ଣାଟକରେ ଗଭୀର ହେଉଥିବା ରାଜନୈତିକ ସଙ୍କଟ ସମୟରେ ମୁଖ୍ୟମନ୍ତ୍ରୀ କୁମାରସ୍ଵାମୀ ରାଜ୍ୟରେ ଉପସ୍ଥିତ ନାହାନ୍ତି। ବର୍ତ୍ତମାନ ସମୟରେ ସେ ବ୍ୟକ୍ତିଗତ ଯାତ୍ରାରେ ଆମେରିକା ଯାଇଛନ୍ତି। ବିଧାନସଭା ଅଧ୍ୟକ୍ଷ କେଆର ରମେଶ କୁମାର କହିଛନ୍ତି ଯେ, ତାଙ୍କ ପାଖରେ ଇସ୍ତଫାର କୌଣସି ସୂଚନା ନାହିଁ। ତାଙ୍କୁ ମିଡିଆ ଜରିଆରେ ସୂଚନା ହିଁ ମିଳିଛି।