“କାଳିଆ” ଯୋଜନା ଦେଶର ସବୁଠାରୁ ବଡ଼ ଯୋଜନା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୫/୧: ଭୁବନେଶ୍ୱର ବରମୁଣ୍ଡା ପଡିଆଠାରେ ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ କୃଷି ମହୋତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ଓଡ଼ିଶା କର୍ମଶାଳାକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ କୃଷକ, କୃଷି ଶ୍ରମିକମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାର ପ୍ରଥମ ପର୍ଯ୍ୟାୟ ପଞ୍ଜିକରଣ ଆଜି ଶେଷ ହେଉଛି। ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜିକରଣ ଚଳିତ ମାସ ୨୫ ତାରିଖରୁ ଫେବ୍ରୁଆରି ୫ତାରିଖ ଯାଏ ଚାଲିବ । ଏହା ଦ୍ୱାରା ସମସ୍ତ ଚାଷୀ, ଭାଗଚାଷୀ, କୃଷି ଶ୍ରମିକ ଉପକୃତ ହେବେ। ଏହି ଯୋଜନା ପାଇଁ ରାଜ୍ୟ ସରକାର ୧୦ ହଜାର କୋଟି ଟଙ୍କା ବ୍ୟୟ କରିଛନ୍ତି। ତେଣୁ ଏହି ଯୋଜନା ରାଜ୍ୟ ସରକାରଙ୍କର ସବୁଠାରୁ ବଡ଼ ଯୋଜନା । ଆଗାମୀ ଦିନରେ ‘କାଳିଆ’ ଯୋଜନା ସମଗ୍ର ଦେଶରେ କୃଷକମାନଙ୍କ ପାଇଁ ଏକ ଆଦର୍ଶ ଯୋଜନା ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଯଦି ‘କାଳିଆ’ ଯୋଜନାରେ ମିଳୁଥିବା ସହାୟତାକୁ ଚାଷିମାନେ ବାସ୍ତବ କ୍ଷେତ୍ରରେ ଚାଷ କାର୍ଯ୍ୟ ପାଇଁ ବିନିଯୋଗ କରିବେ ତେବେ ସେ ସବୁଠାରୁ ଅଧିକ ଖୁସିହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଜଳସେଚନ ପାଇଁ ରାଜ୍ୟ ସରକାର ୩୦ ହଜାର କୋଟି ଟଙ୍କା ବ୍ୟୟ କରିଛନ୍ତି। ଏହା ଦ୍ୱାରା ୮ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରାଯାଇ ପାରିଛି। ରାଜ୍ୟର କୃଷିକମାନଙ୍କ ଉଦ୍ୟମ ପାଇଁ ଓଡ଼ିଶା ଗତ ୫ ବର୍ଷ ଧରି ଲଗାତର କୃଷି କର୍ମଣ ପୁରଷ୍କାର ପାଇ ଆସୁଛି। ରାଜ୍ୟରେ କୃଷକମାନଙ୍କ କାର୍ଯ୍ୟ ଓ ଦକ୍ଷତା ଉପରେ ତାଙ୍କର ଢେର ବିଶ୍ୱାସ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କୃଷି ମହୋତ୍ସବ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସିଆଇଆଇ ଅଧ୍ୟକ୍ଷ ତପନ କୁମାର ଚାନ୍ଦ, କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦର କମିସନର ତଥା ସଚିବ ବିଶାଳ ଗଗନ ପ୍ରମୁଖ ଉପସ୍ଥିତ ଥିଲେ।