ଏ ପର୍ଯ୍ୟନ୍ତ ଆପଣମାନେ ଦେବୀ ଓ ଦେବତାଙ୍କୁ ମନ୍ଦିରରେ ପୂଜା ପାଇବାର ଦେଖିଥିବେ, କିନ୍ତୁ ଜାଣିକି ଆଶ୍ଚର୍ଯ୍ୟ ହେବେ କି ଭାରତରେ ଏପରି ଏକ ମନ୍ଦିର ଅଛି ଯେଉଁଠାରେ କୁକୁର ପୂଜା ପାଉଛି । ତେବେ ଆପଣମାନେ ଏହି ମନ୍ଦିର ନିର୍ମାଣ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି କୁକୁରଦେବ ମନ୍ଦିର ଛତିଶଗଡ଼ ରାୟପୁରଠାରୁ ୧୩୨ କି.ମି. ଦୂରଦୁର୍ଗ ଜିଲ୍ଲାସ୍ଥିତ ଖପରି ଗାଁରେ ଅବସ୍ଥିତ । ଏହି ମନ୍ଦିରର ଗର୍ଭଗୃହରେ କୁକୁର ମୂର୍ତ୍ତିକୁ ସ୍ଥାପନା କରାଯାଇଛି । ଏହି କୁକୁର ମୂର୍ତ୍ତି ପାଖରେ ଏକ ଶିବଲିଙ୍ଗର ମଧ୍ୟ ସ୍ଥାପନ କରାଯାଇଛି । ଶ୍ରାବଣ ମାସରେ ଏହି ମନ୍ଦିରକୁ ବହୁତ ସଂଖ୍ୟକ ଶ୍ରଦ୍ଧାଳୁ ଆସନ୍ତି । ଏଠାରେ ଲୋକେ ଶିବଙ୍କ ସହ କୁକୁରଙ୍କୁ ମଧ୍ୟ ପୂଜା କରିଥାନ୍ତି ଯେମିତି ଶିବ ମନ୍ଦିରରେ ନନ୍ଦିଙ୍କୁ ପୁଜା କରାଯାଏ । ଏହି ମନ୍ଦିରର ବିସ୍ତୃତି ପାଖାପାଖି ୨୦୦ ମିଟର । ମନ୍ଦିରର ଗର୍ଭଗୃହ ବ୍ୟତୀତ ଏହାର ପ୍ରବେଶ ଦ୍ୱାରରେ କୁକୁରଙ୍କର ଆଉ ଦୁଇଟି ପ୍ରତିମା ରଖାଯାଇଛି । କୁହାଯାଏ ଯେ କୁକୁରଦେବଙ୍କ ଦର୍ଶନ କଲେ କୁକୁର କାମୁଡାର ଡର ରୁହେନାହିଁ । ଏହି ମନ୍ଦିରଟି ଏକ ବିଶ୍ୱସ୍ତ କୁକୁରର ସ୍ମୃତିରେ ନିର୍ମାଣ କରାଯାଇଛି ।
କୁହାଯାଏ ଯେ ବହୁ ବର୍ଷ ତଳେ ଏକ ଯାଯାବର ତା’ ପରିବାର ସହ ସେହି ଗାଁକୁ ଆସିଥିଲା ଏବଂ ତାଙ୍କ ସହ ଏକ କୁକୁର ଥିଲା । ସେହି ସମୟରେ ଗାଁରେ ଅକାଳ ମରୁଡ଼ି ପଡ଼ିଲା ଏବଂ ସେମାନେ ଗାଁ ସାହୁକାରଠାରୁ କରଜ ନେଇଥିଲେ । କିନ୍ତୁ ସେ କରଜ ଟଙ୍କା ସାହୁକାରକୁ ସୁଝି ପାରି ନ ଥିଲେ । କରଜ ଦେୟ ପାଇଁ ସେହି ଯାଯାବର ଜଣକ ତାଙ୍କ ବିଶ୍ୱସ୍ତ କୁକୁରଟିକୁ ସାହୁକାରକୁ ଦେଇଥିଲେ । ଥରେ ସାହୁକାର ଘରେ ଚୋରି ହେଲା, ଚୋର ଚୋରି କରିଥିବା ଜିନିଷ ସବୁକୁ ମାଟିତଳେ ପୋତି ଦେଇଥିଲା । ପରେ ଚୋର ସେହି ଜିନିଷକୁ ନେଇଥାନ୍ତା କିନ୍ତୁ କୁକୁର ଜିନିଷ ସବୁର ଗନ୍ଧ ବାରିପାରି ସେହି ଜାଗାକୁ ଖୋଳି ସାହୁକାରର ଚୋରି ଜିନିଷ ଉଦ୍ଧାର କଲା । ଏଭଳି ବିଶ୍ୱସ୍ତ କାର୍ଯ୍ୟ ଦେଖି ଖୁସିହୋଇ ସାହୁକାର ତାକୁ ଆଜାଦ୍ କରିବାକୁ ନିଶ୍ଚିତ କଲା । ସାହୁକାର ଯାଯାବର ନାଁରେ ଏକ ଚିଠି ଲେଖି କୁକୁର ବେକରେ ବାନ୍ଧି କୁକରକୁ ଯାଯାବର ପାଖକୁ ପଠାଇ ଦେଲେ । ସେପଟେ କୁକୁରକୁ ଦେଖି ଯାଯାବର ଭାବିଲା, ଯେ ସେ ସାହୁକାର ପାଖରୁ ଲୁଚିକି ଚାଲିଆସିଛି । ଏହା ଭାବି ରାଗରେ କୁକୁରକୁ ମାରି ମାରି ମାରିଦେଲା ଯାଯାବର । ଯେତେବେଳେ ସେ କୁକୁର ବେକରେ ଚିଠି ଖଣ୍ଡକ ଦେଖିଲା ସେ ଆଶ୍ଚଯ୍ୟ ହୋଇଗଲା । ନିଜ କାର୍ଯ୍ୟ ପାଇଁ ବହୁତ ପଶ୍ଚ୍ୟାତାପ କଲା । ଏହା ପରେ ସେ ସେହି ଜାଗାରେ କୁକୁରକୁ ପୋତି ଦେଲା ଏବଂ ତା’ ନାଁରେ ଏକ ସ୍ମାରକୀ ତିଆରି କଲା । ସେହି ସ୍ମାରକୀରେ ଲୋକେ ପରେ ମନ୍ଦିର ତିଆରି କରିଥିଲେ ଯାହାକୁ ଆଜି କୁକୁରଦେବମନ୍ଦିର ଭାବରେ ପୂଜା କରୁଛନ୍ତି ।
Prev Post
Next Post